ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜମ୍ଭୀରା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି । ଶନିବାର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବାରିପଦା ଛଉ ପଡିଆ ଠାରେ ହେଲିକପ୍ଟର ଯୋଗେ ଅବତରଣ ପରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।
ଗତ ସେପ୍ଟେମ୍ବର ୨୧ ଏବଂ ୨୨ ତାରିଖରେ ଜମ୍ଭୀରା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୋରଡ଼ା, ରାସଗୋବିନ୍ଦପୁର ଓ ଶୁଳିଆପଦା ବ୍ଲକ ପ୍ରଭାବିତ ହୋଇଥିଲା । ତେବେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ କ୍ଷୟକ୍ଷତି ଆକଳନ ରିପୋର୍ଟ ସହ ବନ୍ୟାରେ ପ୍ରଭାବିତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ଅଗ୍ନିକାଣ୍ଡ, ସାପ କାମୁଡ଼ା, ବଜ୍ରପାତ ଓ ବନ୍ୟାଦ୍ବାରା ମୃତ୍ୟୁବରଣ କରିଥିବା ୨୮ ଜଣ ହିତାଧିକାରୀଙ୍କୁ ୪ ଲକ୍ଷ ଟଙ୍କା ଟଙ୍କା ଲେଖାଏଁ ମୋଟ ୧ କୋଟି ୧୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।