ରାଇରଙ୍ଗପୁର:ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ପ୍ରତାରଣା କରିବା ଅଭିଯୋଗରେ ଜନୈକ ଅଧ୍ୟାପକ ଗିରଫ । ଏପରି କିଛି ଘଟଣା ମୟୂରଭଞ୍ଜ ଜିଲ୍ଲର କରଞ୍ଜିଆ ସହରରେ ଦେଖିବାକୁ ମିଳିଛି । ଅଧ୍ୟାପିକା ସହକର୍ମୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ନିର୍ଯାତନା ଓ ପ୍ରତାରଣା ଦେଉଥିବା କରଞ୍ଜିଆ ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ବିଭାଗର ଅଧ୍ୟାପକ ବିଜୟ କୁମାର ମାରାଣ୍ଡି ବିବାହର ପ୍ରତିଶ୍ରୁତି ଦେଇ ସହକର୍ମୀ ଅଧ୍ୟାପିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ତେବେ ସହକର୍ମୀ ଅଧ୍ୟାପିକା ଜଣକ ବିବାହ ପାଇଁ ଜିଦ ଧରିବାରୁ ଅଧ୍ୟାପକ ବିଜୟ କୁମାର ମାରାଣ୍ଡି ତାଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ତେବେ ଅଧ୍ୟାପିକା ଜଣକ ଉକ୍ତ ଘଟଣା ସମ୍ପର୍କରେ କରଞ୍ଜିଆ ଥାନାରେ ଜଣାଇବା ପରେ ଅଧ୍ୟାପକ ବିଜୟଙ୍କ ନାଁରେ ଏକ ଏତଲା ଦେଇଥିଲେ।
ଏହା ବି ପଢନ୍ତୁ- ଇନସୁରାନ୍ସ ପ୍ରିମିୟମ ବାନ୍ଧୁଥିଲେ ହୁସିଆର, ପଲିସି ଉପରେ ଏବେ ଠକଙ୍କ ନଜର
ଅଭିଯୋଗ ପାଇବା ପରେ କରଞ୍ଜିଆ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଅଧ୍ୟାପକଙ୍କୁ ଆଣି କରଞ୍ଜିଆ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିଲେ। ତେବେ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ଆଜି ଅଧ୍ୟାପକ ବିଜୟ କୁମାର ମାରାଣ୍ଡିଙ୍କୁ କରଞ୍ଜିଆ ଥାନାର କେସ ନଂ 114 ଅନୁଯାୟୀ 417, 376(2)(n),294, 506 ଭଳି ବିଭିନ୍ନ ଦଫା ଲଗାଇ ଗିରଫ କରାଯାଇ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଭିଯୁକ୍ତ ଅଧ୍ୟାପକ ଜଣକ ପୂର୍ବରୁ ମଧ୍ୟ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ଜନୈକ ମହିଳାଙ୍କୁ ଅସଦାଚରଣ କରି ରାତି ଅଧିଆ ଗ୍ରାମବାସୀଙ୍କ ଦ୍ବାରା ମାଡ଼ ଖାଇ ବିବାଦରେ ରହିଥିଲେ ।
ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ସେହିପରି ଗତବର୍ଷ ନଭେମ୍ବର ମାସରେ କଲେଜ ପରିସରରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭଜନ ଗୀତ ବଜାଇବାକୁ ନେଇ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିଲେ। ଯାହାକୁ ନେଇ ସେତେବେଳେ ଦୁଇ ତିନି ଦିନ ଧରି କଲେଜ ପରିସର ଅଶାନ୍ତ ମଧ୍ୟ ହୋଇଥିବାର ସୂଚନା ରହିଛି । ପରେ ଛାତ୍ରଛାତ୍ରୀଙ୍କ ଚାପ ଆଗରେ ହିନ୍ଦୁ ଧର୍ମର ଭଗବାନଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ଷମା ମାଗିବାରୁ ଘଟଣାଟି ଶାନ୍ତ ପଡିଥିଲା ।
ଇଟିଭି ଭାରତ, ରାଇରଙ୍ଗପୁର