ରାଇରଙ୍ଗପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା’ ମନ୍ଦିରରେ ପହଞ୍ଚିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ଦ୍ବିତୀୟ ଦିନର ରଥଯାତ୍ରାର ସମାପନ ହୋଇଛି । ଦ୍ୱିତୀୟ ଦିନରେ ବଡ଼ଦାଣ୍ଡରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରୀତିନୀତି ରହିଛି ।
ରୀତିନୀତି ଅନୁଯାୟୀ ବାରିପଦାରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ରଥରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ମାଉସୀ ମା' ମନ୍ଦିର ପହଞ୍ଚିଥିଲେ । ଭଉଣୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି । ବର୍ଷା ଭିଜି ଭିଜି ପ୍ରବଳ ଉତ୍ସାହ ସହ ରଥ ଟାଣିଥିଲେ ଶ୍ରଦ୍ଧାଳୁ । ଦ୍ୱିତୀୟ ଦିନରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଠାକୁରଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଭୁ ବଳଭଦ୍ରଙ୍କ ରଥ ମାଉସୀ ମା’ ମନ୍ଦିର ପହଁଚି ସାରିଥିବା ବେଳେ ଗତକାଲି ବଡ଼ଦାଣ୍ଡର ଅଧା ବାଟରେ ଅଟକି ଥିବା ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣି ନେଇଥିଲେ । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ରଥଟଣା ଯାଇଥିଲା ।