ରାଇରଙ୍ଗପୁର: ବର୍ଷାଋତୁ ଶେଷ ହେବାକୁ ବସିଲାଣି । ତେବେ କେଉଁଠି ଅଧିକ ବର୍ଷା ପାଇଁ ବନ୍ୟା ସ୍ଥିତି ଉପୁଜିଛି ତ କେଉଁଠି ବର୍ଷାର ଦେଖା ମିଳିନି । ରାଇରଙ୍ଗପୁରରେ ବର୍ଷାକୁ ଅପେକ୍ଷା କରି ଚାଷୀଙ୍କ ଆଖିରୁ ପାଣି ମଲାଣି । ଶେଷରେ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି ଚାଷୀ । ସ୍ଥିତି ଏଭଳି ହୋଇଛି ଯେ, ବାଉଁଶ ପାତିଆରେ ଖଡିରତ୍ନ ପଞ୍ଜିକା ଦେଖି କେବେ ବର୍ଷା ହେବ ଜାଣିବାକୁ ଚାହିଁଛନ୍ତି ଲୋକେ ।
ଯାମଦା ବ୍ଲକ ଅନ୍ତର୍ଗତ ଯାମଦା ଅଞ୍ଚଳରେ ବର୍ଷା ପାଇଁ ଦେବୀ, ଦେବତା ପୂଜା ଓ ହୋମଯଜ୍ଞ ଆଦି କରାଯାଇଛି । ଏଥିସହ ବାଉଁଶ ପାତିଆରେ ଖଡିରତ୍ନ ପଞ୍ଜିକା ଦେଖିବାକୁ ଚାଲିଛି ପ୍ରୟାସ । ଯାମଦା ‘ହୋ’ ସମାଜର ଦେହୁରୀ ସୁଦର୍ଶନ ବାଗେ ଓଝା(ଗୁଣିଆ) ଲକ୍ଷ୍ମଣ ବାଗେ, ଭଇଁଚା ବାଗେ ଗ୍ରାମଦେବୀ ଓ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଠାକୁର ମହାଦେବଙ୍କୁ ସ୍ମରଣ କରି ପୂଜା ପାଠ କରିଥିଲେ । ଗ୍ରାମ ଦେବତୀ ଓ ମହାଦେବଙ୍କୁ ପୂଜା ଓ ମନ୍ତ୍ର ପାଠ କରି କାଳିସି ଲାଗି କରିବାକୁ ପ୍ରୟାସ କରିଥିଲେ । ଏହାପରେ ଗୋଲକ ବିହାରୀ ବାଗେ ନାମକ ଯୁବକଙ୍କୁ ମହାଦେବ କାଳିସି ହୋଇଛନ୍ତି ବୋଲି ବିଶ୍ବାସ କରାୟାଇଥିଲା ।