ରାଇରଙ୍ଗପୁର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଦୁଇ ଦିନିଆ ଦ୍ବିତୀୟ ଥର ପାଇଁ ନିଜ ଗୃହ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ପାଣିଜିଆ ଠାରେ ନୂତନ ଭାବେ ନିର୍ମିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ବଶ୍ବର ଟୁଡୁ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଅଧିକ ପଢନ୍ତୁ- ଯେତେ ଭାଷା ଶିଖୁଛ ଶିଖ ମାତୃଭାଷାର ମହତ ରଖ:ରାଷ୍ଟ୍ରପତି
ଏକଲବ୍ୟ ଆବସିକ ମଡେଲ ସ୍କୁଲ ହେଉଛି କେନ୍ଦ୍ର ସରକାରଙ୍କ ସ୍ବପ୍ନର ପ୍ରକଳ୍ପ । ଏକଲବ୍ୟ ଆବାସିକ ମଡେଲ ସ୍କୁଲ ଜରିଆରେ କେନ୍ଦ୍ର ସରକାର ଆଦିବାସୀ ଛାତ୍ର ମାନଙ୍କୁ ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛନ୍ତି । ଭାରତରେ ଆଦିବାସୀ ଲୋକଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ଯୋଜନାରେ ବିଦ୍ୟାଳୟର ନିର୍ମାଣ କରୁଛି । ଏକଲବ୍ୟ ଆବାସିକ ମଡେଲ ସ୍କୁଲରେ ଆଦିବାସୀଙ୍କ କଳା, ସଂସ୍କୃତି, ସମେତ ବିଭିନ୍ନ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ।
କୁଳିଅଣା ଏବଂ ବାରିପଦାର ଦୁଇଟି ବ୍ଲକର କ୍ୟାମ୍ପସ ବର୍ତ୍ତମାନ ଉଦଘାଟନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କୁଳିଅଣା ବିଦ୍ୟାଳୟ ଆଜି ରାଷ୍ଟ୍ରପତି ଉଦଘାଟନ କରିଛନ୍ତି । ୧୦ ରୁ ୧୨ ଏକର ଜମିରେ ନୂତନ ଇଏମଆରଏସ କ୍ୟାମ୍ପସ ନିର୍ମାଣ ହୋଇଛି । ଯେଉଁଥିରେ କ୍ୟାମ୍ପସ ଭିତରେ ନିର୍ମିତ ବାଳକ ଓ ବାଳିକାଙ୍କ ପାଇଁ ସ୍ବତନ୍ତ୍ର ଭାବେ ହଷ୍ଟେଲ ନିର୍ମାଣ ହୋଇଛି । ମାଗଣାରେ ରହିବା ଖାଇବା ସୁବିଧା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ସୁବିଧା ରହିଛି । ପ୍ରାୟ ୫୦୦ ଆଦିବାସୀ ଛାତ୍ର ପ୍ରତ୍ୟେକ କ୍ୟାମ୍ପସରେ ରହିବେ । ଯାହା ଅତି କମରେ ୨୦ହଜାର ଆଦିବାସୀ ଲୋକ ଏବଂ ୫୦ପ୍ରତିଶତରୁ ଅଧିକ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ବ୍ଲକରେ ସ୍ଥାପନ କରାଯାଉଛି ।