ରାଇରଙ୍ଗପୁର: ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ରେଳ ଷ୍ଟେସନରୁ 3ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶାଲିମାର-ବାଦାମପାହାଡ ଏକ୍ସପ୍ରେସ, ବାଦାମପାହାଡରୁ ଟାଟାନଗର ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଟ୍ରେନରେ ଶତାଧିକ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ଏହାପରେ ଶାଲିମାର-ବାଦାମପାହାଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରାଷ୍ଟ୍ରପତି ।
ରେଳ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ, ଜୁହାର ନମସ୍କାରରୁ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ସେ କହିଛନ୍ତି, ''ଆଜି ବାଦାମପାହାଡରୁ ଟାଟାନଗର ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଓ ଶାଲିମାର-ବାଦାମପାହାଡ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରି ମୁଁ ବେଶ୍ ଆନନ୍ଦିତ । ବହୁତ ଦିନର ଆଶା ପୂରଣ ହୋଇଛି । ଆମେ ଯାହା ଇତିହାସରୁ ଜାଣିଛୁ ରେଳ ଲାଇନ 1902 ମସିହାରେ ଆରମ୍ଭ ହୋଇଥିଲା । ସେବେ ଗୋଟିଏ ଟ୍ରେନ ଚାଲୁଥିବା ଏବେ 3ଟି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଗୋଟିଏ ସ୍ଥାନର ଉନ୍ନତି ସେହି ଜାଗାର ଯୋଗାଯୋଗର ଉନ୍ନତି ସହ ସମାନ । ସେ ରେଳ ଯୋଗଯୋଗ ହେଉ କି ସଡକ ପଥର ବିକାଶ ହେଉ । ଏ ଅଞ୍ଚଳର ଲୋକ ତ୍ବରିତ ରେଳସେବାର ସ୍ବପ୍ନ ଦେଖିଲେ । ଏକାସଙ୍ଗରେ 3ଟି ରେଳ ଚଳାଚଳ ଦ୍ବାରା ଯାତ୍ରୀ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଯାଇପାରିବେ । ବ୍ୟବସାୟ କରି ଆର୍ଥିକ ସ୍ତରରେ ସୃଦୁଢ ହେବେ । ଶିଳ୍ପ ନଗରୀ ରାଉରକେଲା ଗସ୍ତ କରିବାରେ ଆଉ ଅସୁବିଧା ହେବ ନାହିଁ । ଏ ରେଳ ଚଳାଚଳାରୁ ଅଞ୍ଚଳବାସୀ ଖୁସି ହୋଇଥିବେ ନିଶ୍ଚୟ ।''
ସେ ଆହୁରି କହିଛନ୍ତି ଯେ, ଏଇଠି ମୋ ଜନ୍ମ ଏଇଠି ମୋ ଶାଶୂଘର ଏଇଠି ମୋ ପିଲାଦିନ କଟିଛି । ମୁଁ ଦିଲ୍ଲୀରେ ରହିଲେ ବି ସବୁବେଳେ ଗାଁକୁ ମନେ ପକାଏ । ମୋ ଆତ୍ମା ସର୍ବଦା ଗାଁ ମାଟିକୁ ଝୁରୁଛି । ଏହା ମୋର ଜନ୍ମସ୍ଥଳୀ କର୍ମସ୍ଥଳୀ । ଏ ମାଟିର ଉନ୍ନତି ପାଇଁ ଭାରତବାସୀ ଏହି ଦାୟିତ୍ବ ଦେଇଛନ୍ତି । ମୋ ଗାଁ ଦିଲ୍ଲୀଠୁ ଦୂର ଥିଲେ ତୁମେ ସମସ୍ତେ ମୋ ହୃଦୟରେ ରହିଛ । ଭାରତ ସରକାର ଆଦିବାସୀ ଭାଇଭଉଣୀଙ୍କ ପାଇଁ ଏକାଧିକ କାର୍ଯ୍ୟକ୍ରମ ହୋଇଛି । ଆଦିବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ ହୋଇଛି । ଆଦିବାସୀମାନେ ଜୀବନରେ ଆଗକୁ ଯିବାକୁ ପ୍ରୟାସ କରନ୍ତୁ । ସରକାରଙ୍କ ପ୍ରତିଟି ପଦକ୍ଷେପ ଆଦିବାସୀ ପ୍ରତିଟି ନିଷ୍ପତ୍ତି ଆଦିବାସୀଙ୍କ ବିକାଶ ନିମନ୍ତେ ଉଦ୍ଧିଷ୍ଟ ।''
ବାଦାମପାହାଡ ରେଳ ଷ୍ଟେସନ ନବୀକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ସହିତ ରାଇରଙ୍ଗପୁର ପୋଷ୍ଟ ଅଫିସରେ ଡାକ ବିଭାଗର ଏକ ସ୍ବତନ୍ତ୍ର ଲଫାପା ଉଦଘାଟନ କରିଥିଲେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ଧର୍ମେନ୍ଦ୍ର ପ୍ରଧାନ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।