ରାଇରଙ୍ଗପୁର:ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ମହାମହିମ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ । ଏହାପୂର୍ବରୁ ସକାଳୁ ସେ କାରକେଡରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟପାଳ ଥିବା ସମୟରେ ଦ୍ରୌପଦୀ ମୁର୍ମୁ ପ୍ରାୟତଃ ଏହି ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ । ରାଷ୍ଟ୍ରପତି ଭାବେ ନାମ ଘୋଷଣା ହେବା ପରେ ମଧ୍ୟ ମନ୍ଦିରକୁ ଆସି ଝାଡୁ ମାରିଥିଲେ । ବର୍ତ୍ତମାନ ନିଜ ଜନ୍ମମାଟିକୁ ଆସିଥିବାବେଳେ ପୁଣିଥରେ ସେ ମହାଦେବଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ ନିଜ ବାସଭବନରୁ କାରକେଡରେ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରକୁ ଆସିଥିଲେ । ପୂଜାର୍ଚ୍ଚନା କରିବା ପରେ ଏହି ଠାରୁ ଦାଣ୍ଡବୋଷ ଯାଇ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରୁ ହେଲିପ୍ୟାଡ ଯୋଗେ ଯଶିପୁର ଯିବେ । ରାଷ୍ଟ୍ରପତି ମୁର୍ମୁ ଦିନ ୧୦ଟାରେ ସଡକ ପଥରେ ଯାଇ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ । ଅପରାହ୍ନ ସାଢେ ୨ଟାରେ ଶିମିଳିପାଳ ବୁଲି ଫେରିବେ । ପରେ ସାଢେ ୪ଟା ସମୟରେ ଯଶିପୁର ହେଲିପ୍ୟାଡରୁ ବାରିପଦା ଅଭିମୁଖେ ଯାତ୍ରା କରିବେ । ୫ଟା ୨୫ରେ ବାରିପଦା ହେଲିପ୍ୟାଡରେ ପହଞ୍ଚିବା ପରେ ଗେଷ୍ଟ ହାଉସରେ ରହିବେ । ଏହାପରେ ସନ୍ଧ୍ୟା ୬ରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।