ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ଆଜି ଅନ୍ତିମ ଦିନ । ଆଜି ଶେଷ ଦିନରେ ମହାମହିମ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟକୁ ଯାଇଛନ୍ତି । ସେ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏଠାରେ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ପିଭିଟିଜିଏସଙ୍କ ସହିତ ଆଲୋଚନା କରିବେ । ଏହାପରେ ପୁଣି ଦିଲ୍ଲୀ ଫେରିଯିବେ ।
ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ନବବଧୂ ପରି ସଜେଇ ହୋଇଛି ବିଶ୍ବବିଦ୍ୟାଳୟ । ଅନେକ ବର୍ଷ ପରେ ରାଷ୍ଟ୍ରପତି ମୁର୍ମୁ MSCB ବିଶ୍ବବିଦ୍ୟାଳୟକୁ ଆସିଥିବାରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଓ କାର୍ଯ୍ୟକ୍ରମ ସ୍ଥଳ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ମୁର୍ମୁଙ୍କ ସମେତ ରାଜ୍ୟପାଳ ପ୍ରଫେସର ଡ.ଗଣେଶୀ ଲାଲ ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ଆଜି ୮ଜଣଙ୍କୁ ଡିଲିଟ ଉପାଧି, ୯୦ଜଣଙ୍କୁ ପିଏଚଡି ଓ ୩୪ଜଣଙ୍କୁ ଗୋଲ୍ଡ ମେଡାଲ ସମେତ ସମୁଦାୟ ୧୩୨ ଜଣ ମହାମହିମଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବେ ।
ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକର ସୁପାରିଶ ପରେ କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉଲ୍ଲଖନୀୟ ଅବଦାନ ଥିବା ୮ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ/ଡିଏସସି ପ୍ରଦାନ ହେବ । ବିଶ୍ବବିଦ୍ୟାଳୟରେ କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ ଗଣେଶୀ ଲାଲଙ୍କ ପୌରହିତ୍ୟରେ ଆଜିର (ଶନିବାର) ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି ।