ରାଇରଙ୍ଗପୁର: ସରିଲା ଅପେକ୍ଷା । ଜନ୍ମମାଟିରେ ପହଞ୍ଚିଲେ ମାଟିର ଝିଅ । ଆଜିଠୁ ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଠାରେ ପହଞ୍ଚିଛନ୍ତି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ବାଦାମପାହାଡ ଦିଘିଆବେଡା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସ୍ବାଗତ କରିଛନ୍ତି । ଏହାପରେ ରାଷ୍ଟ୍ରପତି ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଆସି ପହଞ୍ଚିଛନ୍ତି । ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିକୁ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ଥିବାରୁ ପାହାଡପୁରବାସୀ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ରାଷ୍ଟ୍ରପତି ନିର୍ଦ୍ଧାରିତ ସମୟରେ ବାଦାମପାହାଡ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ଏକ ସ୍ବତନ୍ତ୍ର କାରରେ ପାହାଡପୁର ଆସିଥିଲେ । ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ରାଷ୍ଟ୍ରପତି ମୁର୍ମୁ ସ୍କୁଲ ପହଞ୍ଚିବା ପରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ପରେ ସେ ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ନାବାର୍ଡ ଦ୍ବାରା ନିର୍ମାଣ କରାଯିବାକୁ ଥିବା ଏକ କମ୍ୟୁନିଟି କେନ୍ଦ୍ର ଓ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ । ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ରାଇରଙ୍ଗପୁର ସହର । ଜନସାଧାରଣଙ୍କ ମନରେ ଉତ୍ସାହ ଉତ୍କଣ୍ଠା ଭରି ରହିଛି ।
ଏହାମଧ୍ୟ ପଢନ୍ତୁ: ଏସଏଲଏସ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ରାଷ୍ଟ୍ରପତି, ସଭିଁଙ୍କ ମନରେ ଉତ୍ସାହ