ରାଇରଙ୍ଗପୁର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି । ମହାମହିମଙ୍କ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ନିଜର ମହୁଲଡିହା ସ୍ଥିତ ବାସଭବନରେ ରାତ୍ରିଯାପନ କରିବେ । ଏଥିପାଇଁ ରାଷ୍ଟ୍ରପତିଙ୍କ ବାସଗୃହରେ ଇଲେକ୍ଟ୍ରି ବିଭାଗ, ପିଏଚଡ଼ି ବିଭାଗ ଓ ଅନ୍ୟାନ୍ୟ ବିଭାଗ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ରାଷ୍ଟ୍ରପତି ଭବନରୁ ଆସିବାକୁ ଥିବା ମେନୁ ଅନୁଯାୟୀ ବିନା ପିଆଜ ଓ ରସୁଣରେ ପ୍ରସ୍ତୁତ ଖାଦ୍ୟ ରାଷ୍ଟ୍ରପତି ମୁର୍ମୁ ରାତ୍ରି ଭୋଜନରେ ଗ୍ରହଣ କରିବେ ବୋଲି ସାନଭାଇ ତରଣୀସେନ ଟୁଡୁ ଜଣାଇଛନ୍ତି ।
ରାଷ୍ଟ୍ରପତି ଭାବେ ପଦବୀ ଗ୍ରହଣ ପରେ ଏହା ହେଉଛି ମୟୂରଭଞ୍ଜ ଜିଲ୍ଲାକୁ ଦ୍ବିତୀୟ ଗସ୍ତ । ଆସନ୍ତା ସୋମବାର ମହାମହିମ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରୁ ବାରିପଦା ଆସି ସେଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ସେହିଦିନ ବାୟୁସେନାର ହେଲିକପ୍ଟର ଯୋଗେ ଦାଣ୍ଡବୋଷରେ ପହଞ୍ଚିବେ । ପରେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବିଶେଷ ଲୋକଙ୍କ ସହିତ ସାକ୍ଷାତ କରିବା ପରେ ମହୁଲଡିହାରେ ଥିବା ନିଜ ବାସଭବନରେ ରାତ୍ରିଯାପନ କରିବେ । ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।