ରାଇରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୁହା ହୋଇ ଆସୁଥିବା ସମୟରେ ଅଧାବାଟରେ ପ୍ରସବ କଲେ ମହିଳା । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଅନ୍ତର୍ଗତ କାଶିପାଳ ଗ୍ରାମରେ ।
ଗ୍ରାମର ସୁମି ହୋ ନାମକ ଜନୈକ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସଟି ଆସିବା ସମୟରେ ବର୍ଷା ଯୋଗୁ ହୋଇଥିବା କାଦୁଅରେ ଫସି ଯାଇଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ୨ କିମି ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆଣିବା ସମୟରେ ଅଧାବାଟରେ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ମହିଳା ।