ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି । ଅଭୟାରଣ୍ୟରେ ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ରାଜ୍ ଚାଲିଛି । କେତେବେଳେ ଶିକାରୀମାନେ ବନ୍ୟଜନ୍ତୁ ଗୁଡିକୁ ଅବାଧରେ ଶିକାର କରୁଛନ୍ତି ତ କେତେବେଳେ ବନ କର୍ମଚାରୀ ମାନଙ୍କୁ ଗୁଳି କରି ମାରି ଦେଉଛନ୍ତି । ତେବେ ଦୁଇଜଣ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ ଶିକାରୀ ଦାଉରୁ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଏବେ ଚିନ୍ତାରେ ବନବିଭାଗ । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ପୋଲିସ ବିଭାଗ ଶିମିଳିପାଳର ସୁରକ୍ଷାରେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ ଦୁଇଜଣ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ ଅନ୍ୟ ବନ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣିବା ସହିତ ସେମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ଦାବି ସବୁ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ପାଟ୍ରୋଲିଂ କରିବାକୁ ଯିବେନି ବୋଲି ଚେତାବନୀ ଦେଇଛନ୍ତି । ତେବେ ଶିମିଳିପାଳ ଜଙ୍ଗଲରେ କାର୍ଯ୍ୟରତ ୮ ଶହରୁ ଅଧିକ ବନ କର୍ମଚାରୀ ଡ୍ୟୁଟି ନକରିବା ଫଳରେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ । ଏହି ଘଟଣାକୁ କେନ୍ଦ୍ର କରି ଶିମିଳିପାଳର ସୁରକ୍ଷାକୁ ନେଇ ପୋଲିସ ବିଭାଗର ସହାୟତା ଲୋଡିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ । ମୁଖ୍ୟ ଶାସନ ସଚିବ ଓ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବାନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।