ବାରିପଦା:ଅପରାଧି ଓ ପୋଲିସଙ୍କ ସମ୍ପର୍କ, ସାପ ଓ ନେଉଳର ସମ୍ପର୍କ ପରି । ଦୁହେଁ ଦୁହିଁଙ୍କ ବିପରୀତ । କିନ୍ତୁ ଯେତେବେଳେ ଉଭୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଭାବ ଦେଖାଯାଏ ଏହା ସମାଜ ପ୍ରତି ବିପଦ ସୃଷ୍ଟି କରିଥାଏ । ଅପରାଧିମାନଙ୍କ ସହ ବନ୍ଧୁତା ରଖି ଚାକିରିରୁ ନିଲମ୍ବିତ ହେଲେ ଜଣେ ଥାନା ଅଧିକାରୀ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଅପରାଧିଙ୍କ ସହିତ ବନ୍ଧୁତା କରିବା ଏଏସଆଇଙ୍କୁ ମହଙ୍ଗା ପଡିଛି । ପଦ ହରାଇବା ସହ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
ଅପରାଧିମାନଙ୍କ ସହ ବନ୍ଧୁତା ରଖି ଚାକିରିରୁ ନିଲମ୍ବିତ ହୋଇଛନ୍ତି କୁଳିଅଣା ଥାନାର କାର୍ଯ୍ୟରତ ଏଏସଆଇ ମହେଶ୍ବର ସ୍ବାଇଁ । କୁଳିଅଣା ଥାନାର ଏଏସଆଇ ମହେଶ୍ବର ସ୍ବାଇଁ ଚୋର ଓ ଅପରାଧିଙ୍କ ସହ ସମ୍ପର୍କ ରଖିଥିବା ଘଟଣା ବାରବାର ମୟୂରଭଞ୍ଜ ଏସପିଙ୍କ ପାଖରେ ଅଭିଯୋଗ ହେଉଥିଲା । ଏଭଳି କି ଅସତ୍ ଉପାୟରେ ଟଙ୍କା ରୋଜଗାର କରିବା, ବେଆଇନ୍ ଭାବେ ଟଙ୍କା ମାଗିବା, ବିଭିନ୍ନ କେସ ସମାଧାନ କରିବା ପାଇଁ ପଇସା ନେବା ଏପରି ଅନେକ ଅଭିଯୋଗ ଏଏସଆଇ ମହେଶ୍ବରଙ୍କ ନାଁରେ ହୋଇ ଆସୁଥିଲା । ହେଲେ ତାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳୁ ନଥିବାରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିବା କହିଛନ୍ତି ଏସପି ।