ରାଇରଙ୍ଗପୁର:ଶିମିଳିପାଳରେ ପୁଣି ହାତୀ ମୃତ୍ୟୁ, ଶିମିଳିପାଳ ପୋଷା ହାତୀ ଶୋଭାର ମୃତ୍ୟୁ ଘଟିଛି । ଖାଦ୍ୟ ଅଭାବରୁ ମୃତ୍ୟୁ ଘଟିଥିବା ନେଇ ଦାୟିତ୍ୱରେ ଥିବା ଅସ୍ଥାୟୀ ହାତୀ ମାହୁନ୍ତ ତଥା ଅସ୍ଥାୟୀ ବନ କର୍ମଚାରୀ ଅଭିଯୋଗ କରିଛନ୍ତି । ଦୁଇ ଦିନ ପୂର୍ବରୁ ଅସୁସ୍ଥ ଥିଲା କୁଙ୍କି ହାତୀ ଶୋଭା । ମୃତ୍ୟୁ ବେଳକୁ ହାତୀର ବୟସ ପ୍ରାୟ 65ରୁ ଊର୍ଦ୍ଧ୍ବ ହୋଇଥିବା ସୂଚନା ମିଳିଛି ।
ଦାୟିତ୍ଵରେ ଥିବା ରେଞ୍ଜର ଶିବଶଙ୍କର ସାମଲ ଜେନାଙ୍କ ଅବହେଳା ଯୋଗୁଁ କୁଙ୍କି ହାତୀ ଶୋଭାର ଖାଦ୍ୟ ଅଭାବରୁ ମୃତ୍ୟୁ ହୋଇଥିବା ହାତୀ ମାହୁନ୍ତ ଅଭିଯୋଗ କରିଛନ୍ତି । ଶୋଭା ଦୁଇ ଦିନ ପୂର୍ବରୁ ଅସୁସ୍ଥ ଥିବା ବେଳେ ଶନିବାର ମୃତ୍ୟୁବରଣ କରିଛି । ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ । ୨୭୫୦ ବର୍ଗ କିଲୋମିଟର ପରିମିତି ଅଞ୍ଚଳ ହେଉଛି ଶିମିଳିପାଳ । ଶିମିଳିପାଳରେ ବ୍ୟାଘ୍ର ଏବଂ ହସ୍ତୀ ପ୍ରକଳ୍ପ ରହିଛି । ମୟୂରଭଞ୍ଜ ଜିଲ୍ଲାର ବେଶ କିଛି ସୁନାମ ଅର୍ଜନ କରିଥିବା ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକରୁ ଅଣାଯାଇଥିଲା ତିନୋଟି ପୋଷା ହାତୀ । ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଅଭୟାରଣ୍ୟର ସୁରକ୍ଷା ଦୃଷ୍ଟିରୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଔରସରୁ ଶିବାନୀ(ମାଇ) ଓ ରାଜକୁମାର (ଅଣ୍ଡିରା) ଜନ୍ମ ଗ୍ରହଣ କରିଥିଲେ । ଏହାପରେ ପୁନଃ ମହେନ୍ଦ୍ର ଓ ଭବାନୀ ଔରସରୁ ଜନ୍ମ ହେଇଥିଲା ଲଷ୍ମୀ ହାତୀ । ତାର ଦେହ ଖରାପ ଯୋଗୁଁ ମୃତ୍ୟୁ ହେଇଥିଲା ।