ରାଇରଙ୍ଗପୁର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ପ୍ରତିବାଦରେ କଲମ ଛାଡ଼ ଆନ୍ଦୋଳନ ଓ ଧାରଣା । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର ଗତ ଗୁରୁବାର ଅଗଷ୍ଟ ୧ ତାରିଖରେ କୁସୁମୀ ବ୍ଲକ ଅଧିନରେ ଥିବା ମୟୁରଦର ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ୯ଟି ଗାଁର ଗ୍ରାମବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ଗାଁ ଲୋକେ ଘେରାଉ କରିଥିଲେ । ତେବେ ପୋଲିସ ଉପସ୍ଥିତିରେ ଗ୍ରାମବାସୀଙ୍କୁ ବୁଝାସୁଝା କରି କୁସୁମୀ ବ୍ଲକ ମୟୁରଦର ପଞ୍ଚାୟତର ଏପିଅ ମୃତ୍ୟୁଞ୍ଜୟ ପତ୍ରୀ ଏକ ବୈଠକ କରିଥିଲେ ।
ଗରିବ ହିତାଧିକାରୀଙ୍କୁ କାହିଁକି ଆବାସ ଯୋଜନାରେ ଘର ମିଳି ପାରୁନାହିଁ ସେ ନେଇ ଏପିଅ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିବା ବେଳେ ଗାଁ ଲୋକଙ୍କୁ ମିଛ ପ୍ରତିଶ୍ରୃତି ଦେଇ ଆଶ୍ବାସନା ଦେଇଥିଲେ । ତେବେ ସେହି ସମୟରେ କିଛି ଅସାମାଜିକ ଲୋକେ ମୟୁରଦର ପଞ୍ଚାୟତର ପିଇଅ ରବିନ୍ଦ୍ର ନାଥ କୁମ୍ଭକାରଙ୍କୁ ଗାଳିଗୁଲଜ, ଠେଲାପେଲା, ମାରପିଟ କରିଥିୂବା ଅଭିଯୋଗ ହୋଇଛି । ଏ ନେଇ ବାଦାମପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ରବିନ୍ଦ୍ର ନାଥ କୁମ୍ଭକାର । ଏଥିସହ ବିଡ଼ିଓଙ୍କ ଜରିଆରେ ଉପଜିଲ୍ଲାପାଳ, ଜିଲ୍ଲାପାଳ, ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ରବିନ୍ଦ୍ର ।
ଏହି ଆକ୍ରମଣ ପ୍ରତିବାଦରେ କୁସୁମୀ ବ୍ଲକର ୧୪ଟି ପଞ୍ଚାୟତର ୯ ଜଣ ପିଇଅ ( ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) ଓ ୧୧ ଜଣ ଜିଆରଏସ୍ କୁସୁମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲମ ଛାଡ଼ ଆନ୍ଦୋଳନ ସହିତ ଧାରଣା ପ୍ରଦର୍ଶନ କରିଛନ୍ତି । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ସହିତ କଲମ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ