ରାଇରଙ୍ଗପୁର:ଚାଲିଥିଲା ବଜ୍ରକାପ୍ତା ଡ଼ିଲ୍, ଖବର ପାଇ ମାଡ଼ି ବସିଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଝାଡ଼ ଗ୍ରାମରୁ ଗତକାଲି(ସୋମବାର) ଏହି ଘଟଣା ସାମ୍ନାକୁ ଆସିଛି । ବଡଝାଡ ଗାଁ ନିକଟରେ ବଜ୍ରକାପ୍ତା ଚାଲାଣ ପାଇଁ ଡିଲ୍ ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି । ଚଢାଉ ସମୟରେ ପୋଲିସ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଲେଶ୍ବର ନୀଳଗିରି ରେଞ୍ଜ୍ ଅଯୋଧ୍ୟା ଅଞ୍ଚଳର ଫରେଷ୍ଟର ଅଛନ୍ତି । ତାଙ୍କ ନାମ ରାମଚନ୍ଦ୍ର ମାରାଣ୍ଡି ବୋଲି ଜଣାପଡିଛି । ପୋଲିସ ଉଦ୍ଧାର ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରିଛି ।
ସୂଚନା ଅନୁଯାୟୀ, ଗତକାଲି(ସୋମବାର) ଶିମିଳିପାଳ ଅଭୟାରଣ୍ୟର ବଡଝାଡ ଅଞ୍ଚଳରେ ଏକ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ତେବେ ପୂର୍ବ ସୂଚନା ଆଧାରରେ କପ୍ତିପଦା ଥାନା ପୋଲିସର ଏକ ଟିମ୍ ଡିଲ୍ ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ବନ ବିଭାଗର ଜଣେ ଫରେଷ୍ଟରଙ୍କ ସମେତ ୬ ଜଣକୁ ଗିରଫ କରିଛି । ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାଟିର ବୟସ ୩ରୁ ୪ ବର୍ଷ ହୋଇଥିବା ବେଳେ ଏହାର ଲମ୍ବ ୩ ଫୁଟ ଏବଂ ଓଜନ ୩ କେଜି ବୋଲି ସୂଚନା ମିଳିଛି । ୫ ଲକ୍ଷ ଟଙ୍କାରେ ଏହି ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଯୋଜନା ଚାଲିଥିଲା । ଏହି ଘଟଣାରେ ୩ଟି ବାଇକ ମଧ୍ୟ ଜବତ କରିଛି ପୋଲିସ ।