ମୟୂରଭଞ୍ଜ: ବିଭିନ୍ନ ଦାବି ନେଇ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ୫୦ରୁ ଊର୍ଦ୍ଧ୍ବ ସେବାୟତ ପଦଯାତ୍ରାରେ ବାହାରିଛନ୍ତି । ଏହି ପଦଯାତ୍ରା ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ପାଖରୁ ଆରମ୍ଭ ହୋଇ ଭୁବନେଶ୍ବର ନବୀନ ନିବାସ ପର୍ଯ୍ୟନ୍ତ ଜାରି ରହିବ । ଏହି ପଦଯାତ୍ରାରେ ଉଭୟ ମନ୍ଦିର ସେବାୟତ ଓ ରଥ କାରିଗରମାନେ ଯୋଗ ଦେଇଛନ୍ତି । ସେହିପରି ସେବାୟତମାନେ ଏହି ଘଟଣାକୁ ଜିଲ୍ଲାର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଜଣାଇ ନ ଥିବା ମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି ।
ଆଗକୁ ଆସୁଛି ରଥଯାତ୍ରା । ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ରଥ ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ରହିଛି । ସେବାୟତ ଓ ରଥ କାରିଗରମାନେ ବିଧିବଦ୍ଧ ଭାବେ ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ସହ ମାସିକ ଦରମା, ରଥକାର୍ଯ୍ୟ ପାଇଁ ସୁବ୍ୟବସ୍ଥା, ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବା ଭଳି 8 ଦଫା ଦାବି ରଖିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ରଥ କାର୍ଯ୍ୟ ଓ ମନ୍ଦିର ରୀତିନୀତି ବନ୍ଦ ରହିବ ବୋଲି ସେବାୟତମାନେ ସ୍ପଷ୍ଟ କରିଛନ୍ତି ।