ରାଇରଙ୍ଗପୁର:ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗାଁରେ । ଘରେ ସ୍ବାମୀ ନଥିବା ବେଳେ ଜନୈକ ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ ବୃଦ୍ଧା ଜଣକ ହେଲେ ସୁନେଇ ପୂର୍ତ୍ତି । ଏ ବାବଦରେ ସ୍ଥାନୀୟ ଲୋକ ପୋଲିସ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ବଉଳା ଗାଁରେ ଜୟରାମ ପୂର୍ତ୍ତି ଓ ତାଙ୍କ ସ୍ତ୍ରୀ ସୁନେଇ ପୂର୍ତ୍ତି ଉଭୟ ଦମ୍ପତି ଖୁସିରେ ଜୀବନଯାପନ କରୁଥିଲେ । ଜୟରାମ ଭାଲିଆଡାଳ ଗ୍ରାମକୁ କୌଣସି କାମରେ ଯାଇ଼ଥିଲେ । ରାତିରେ ଘରକୁ ଫେରିବା ପରେ ସ୍ତ୍ରୀ ସୁନେଇକୁ ତଳେ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ । ଏହା ପରେ ସେ ସଙ୍ଗେ ସଙ୍ଗେ ସାହି ପଡିଶାଙ୍କୁ ଡାକିଥିଲେ । ତେବେ ଉକ୍ତ ଗ୍ରାମଟି ଅପହଞ୍ଚ ଇଲାକା ହୋଇଥିବାରୁ ଗ୍ରାମବାସୀ ପ୍ରଥମେ ଏ ବିଷୟରେ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚ ଆସିବା ପରେ ସ୍ଥାନୀୟ ଲୋକ ମହୁଲଡିହା ଥାନା ପୋଲିସକୁ ଖବର ଦେବାକୁ ଯାଇଥିଲେ ।