ରାଇରଙ୍ଗପୁର: ପୂର୍ବ ଶତ୍ରୁତାରୁ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ପାହାଡରେ ଫିଙ୍ଗି ଦେଲେ ଅଭିଯୁକ୍ତ । ମୟୂରଭଞ୍ଜ ସାଲେଇବେଡା ଗ୍ରାମ ମଥୁରା ସାହିରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ଏକ ମାସ ପରେ ଘଟଣାର ପର୍ଦ୍ଦାଫାସ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜଣେ ଅଭିଯୁକ୍ତ ଫେରାର ରହିଥିବା ସୂଚନା । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି କାଇରା ବିରୁଆ । ଗିରଫ ଅଭିଯୁକ୍ତ ମାନେ ହେଲେ ସଲେଇବେଡା ଗ୍ରାମର ବାନ୍ଧୁ ବାଲମୁଚୁ, ଶ୍ୟାମ ସିଂ ସୟ, ଘନ ବାଲମୁଚୁ, ଦିନବନ୍ଧୁ ବାଲମୁଚୁ ।
ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖ ଦିନ କାଇରା ବିରୁଆ ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ନଭେମ୍ବର ୨୦ ତାରିଖରେ କାଇରାଙ୍କ ମଝିଆଁ ପୁଅ ଜଗା ବିରୁଆ ମାଆ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ଠାକୁରମୁଣ୍ଡା ପୋଲିସ ଅନୁସନ୍ଧାନ ଜାରି ରଖିଥିଲା । ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା ।
ନଭେମ୍ବର ୧୧ ତାରିଖ ଦିନ କାଇରା ହାଟରୁ ଫେରିବା ବାଟରେ ଅଭିଯୁକ୍ତ ମାନେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ଜଣେ ଅଭିଯୁକ୍ତ ଗୋଟିଏ ରାତି ଘରେ କାଇରାଙ୍କ ମୃତଦେହ ରଖି ପରଦିନ ଭୋର ସମୟରେ ନିକଟସ୍ଥ ପାହାଡ଼ରେ ଫିଙ୍ଗି ଦେଇଥିଲେ । ଏହାପରେ କାଇରାର ପତ୍ତା ପାଇପାରିନଥିଲେ ପରିବାର ଲୋକେ । ଶେଷରେ ପୋଲିସର ତଦନ୍ତ ପରେ ଜମିଜମା ବିବାଦକୁ ନେଇ କାଇରାଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା ।