ରାଇରଙ୍ଗପୁର: ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ । ଏହି ହିଂସା ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ଟିମରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି । ଏହି ପୋଲିସ ଅଧିକାରୀ ହେଉଛନ୍ତି କୁଳିଅଣା ଥାନା ଅଧିକାରୀ ବିଶ୍ବ ପ୍ରକାଶ ରାଉତ । ସେ ସିବିଆଇ ଟିମରେ ସାମିଲ ହେବା ନେଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ପକ୍ଷରୁ ଓଡ଼ିଶା ପୋଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି । ସିବିଆଇର ସୂଚନା ପରେ ଥାନା ଅଧିକାରୀ ବିଶ୍ବ ପ୍ରକାଶଙ୍କୁ ରିଲିଭ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ମଣିପୁର ହିଂସାକାଣ୍ଡର ତଦନ୍ତ କରୁଥିବା ସିବିଆଇ ଟିମରେ ୫୩ ଜଣ ଅଧିକାରୀ ରହିଛନ୍ତି । ସେଥିମଧ୍ୟରେ ୨୯ ଜଣ ମହିଳା ଅଧିକାରୀ ସାମିଲ ଅଛନ୍ତି । ତେବେ ସିବିଆଇ ଟିମରେ ଓଡ଼ିଶାରୁ ଜଣେ ଓଡିଆ ପୋଲିସ ଅଫିସରଙ୍କ ଯୋଗଦାନ ପରେ ମୟୂରଭଞ୍ଜ ପୋଲିସ ମହଲରେ ଖୁସିର ବତାବରଣ ଖେଳିଯାଇଛି । ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ବିଶ୍ବ ପ୍ରକାଶ ରାଉତଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ବିଶ୍ୱ ପ୍ରକାଶ ରାଉତ ୨୦୧୨ ମସିହାରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ୨୦୨୧ ମସିହାରୁ ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚ ସମେତ ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟ କରିଥିବା ସୂଚନା ରହିଛି ।