ଲକ୍ଷ୍ନୌ: ଆଜିକାଲି କୌଣସି କ୍ଷେତ୍ରରେ ମହିଳା କମ୍ ନୁହଁନ୍ତି । ଜଳରୁ ସ୍ଥଳ ପ୍ରତିଟି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି ମହିଳା । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି । ସେହି ଦିଗରେ ଉତ୍ତରପ୍ରଦେଶ ଆଉ ଏକ ପାଦ ଆଗକୁ ବଢିଛି । ରାଜ୍ୟର ବାରବଙ୍କୀ ଜିଲ୍ଲାରେ ବିଦ୍ୟୁତ ବିଭାଗ ଜାତୀୟ ଗ୍ରାମୀଣ ଜୀବିକା ମିଶନ ସହ ଜଡିତ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଏହି ମିଶନ ସହ ମିଳିତ ଭାବେ ଏକ ନିଆରା ନିଷ୍ପତ୍ତି ନେଇଛନ୍ତି । ଏଣିକି ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ ବିଜୁଳି ବିଲିଙ୍ଗ୍ ମେସିନ ସହ ନଜର ଆସିବେ । ସେମାନେ ଘର ଘର ବୁଲି ମିଟର ରିଡିଙ୍ଗ କରିବା ସହ ଉପଭୋକ୍ତାଙ୍କୁ ବିଜୁଳି ବିଲ୍ ମଧ୍ୟ ଦେବେ । ଏନେଇ ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ଏବଂ ଉତ୍ତରପ୍ରଦେଶ ପାଓ୍ବାର କର୍ପୋରେସନ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି ।
ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ଅଧିନ ସ୍ବଂୟ ସହାୟକ ଗୋଷ୍ଠୀ ସହ ଜଡିତ ମହିଳାମାନେ ବର୍ତ୍ତମାନ ବିଜୁଳି ବିଲିଂର ତାଲିମ ନେଉଛନ୍ତି । ସେମାନଙ୍କୁ ମିଟର ରିଡିଙ୍ଗ, ବିଲ୍ ବାହାର କରିବା ଏବଂ ଜମା କରିବା ନେଇ ସମସ୍ତ ପ୍ରକ୍ରିୟା ଶିକ୍ଷା ଦିଆଯାଉଛି । ଏସବୁ ପାଇଁ ମହିଳାମାନଙ୍କୁ ଏକ ଥର୍ମାଲ ପ୍ରିଣ୍ଟର କିଣିବାକୁ ପଡିବ । ଦୁଇ ଇଞ୍ଚର ଏହି ଥର୍ମାଲ ପ୍ରିଣ୍ଟରକୁ ମୋବାଇଲ ସହ ସଂଯୁକ୍ତ କରି ସେମାନଙ୍କୁ କଣ ସବୁ କରିବାକୁ ହେବ ତାହାର ସ୍ବତନ୍ତ୍ର ଶୈଳୀ ଜଣାଇ ଦିଆଯିବ । ଯାହାଦ୍ବାରା ମହିଳାମାନେ ଅଧିକରୁ ଅଧିକ କାର୍ଯ୍ୟ କରି ଆର୍ଥିକ ଲାଭ ପାଇପାରିବେ ।