ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାର ଜଶିପୁର ବ୍ଲକରେ ପୁଣି ସରକାରଙ୍କ ଅବ୍ୟବସ୍ଥା ସାମନାକୁ ଆସିଛି । ଗ୍ରାମକୁ ଭଲ ରାସ୍ତା ନଥିବାରୁ ରୋଗୀ ନେବାକୁ ଆସିଥିବା ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକିଥିଲା । ଫଳରେ କିଛି ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ 3 କିଲୋମିଟର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିବା ଦେଖିବାକୁ ମିଳିଛି । ସେପଟେ ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ ପ୍ରଶାସନ ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସରକାର ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନାମାନ କରୁଥିଲେ ମଧ୍ୟ ତୃଣମୂଳ ସ୍ତରକୁ ଏହା ପହଞ୍ଚିପାରୁନାହଁ । ସାମାନ୍ୟ ସ୍ବାସ୍ଥ୍ୟ ସେବା ପାଇଁ ଲୋକେ ହଟାହଟା ହେଉଛନ୍ତି । ଜିଲ୍ଲା ଜଶିପୁର ବ୍ଳକ ଅନ୍ତର୍ଗତ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ କୁଆଁରିବିଲ ଗାଁରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଗ୍ରାମର ଟୁରି ତିରିଆ ନାମକ ଜଣେ ଜନୈକ ବୃଦ୍ଧ ବ୍ୟକ୍ତି ଗୁରୁତର ଅସୁସ୍ଥ ହେବାରୁ 108କୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ଗ୍ରାମକୁ କୌଣସି ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି 3 କିଲୋମିଟର ଦୂରରେ ରହିଥିଲା ।