ରାଇରଙ୍ଗପୁର: କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ନିବାସ ଓ କେଶଡିହା ଆଶ୍ରମ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ନଦେବା ଘଟଣାକୁ ନିନ୍ଦା କଲେ ଜାତୀୟ ମାନବାଧିକାର କମିଶନ । ରାଜ୍ୟ ଆଦିବାସୀ ଓ ହରିଜନ ବିଭଗର ମୁଖ୍ୟ ସଚିବ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ ।
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧିନ ଆଦିବାସୀ ଉନ୍ନୟନ ବିଭାଗ ଦ୍ବାରା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପରିସରରେ ରହିଥିବା ଆଦିବାସୀ ଛାତ୍ରୀ ନିବାସରେ ଛାତ୍ରୀମାନେ ଖାଇବାକୁ ନପାଇବା ଏବଂ କେଶଡିହା ଆଶ୍ରମ ବିଦ୍ୟାଳୟରେ ଥିବା ହଷ୍ଟେଲର ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଛାତ୍ରଛାତ୍ରୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବା ଅଭିଯୋଗରେ ଜାତୀୟ ମାନବାଧିକାର କମିଶନ ରାଜ୍ୟ ଆଦିବାସୀ ଓ ହରିଜନ ବିଭାଗର ମୁଖ୍ୟ ସଚିବ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି । ଜାତୀୟ ମାନବାଧିକାର କମିଶନ ଡାକ୍ତର ଡି ମନୋହର ମୁଲେ ଜାରି କରିଥିବା ଏହି ନୋଟିସରେ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିବା ଜଣାପଡ଼ିଛି । ମାନବାଧିକାର କର୍ମୀ ଆଡଭୋକେଟ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ କ୍ରମେ ମାମଲା ରୁଜୁ କରି କେଶ ନମ୍ବର ୩୯୭୨ ତା ୧୮/୦୯/୨୨ ଅନୁଯାୟୀ କମିଶନ ନୋଟିସ୍ କରିଛନ୍ତି ।