ବାରିପଦା: ନେସ୍କୋର ଖାମଖିଆଲ ମନୋଭାବ ଯୋଗୁଁ ଅନ୍ଧାରରେ ଗରିବ ପରିବାର । 6 ବର୍ଷ ହେଲାଣି ବିଦ୍ୟୁତ ସଂଯୋଗ ନଥାଇ ଆସିଛି ସାଢେ 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଲ୍ । ଉପଭୋକ୍ତାଙ୍କୁ ବିଦ୍ୟୁତ କମ୍ପାନୀଙ୍କ ଶୋଷଣ ନେଇ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଗାଁ ଅମରଦାରୁ ଆସିଛି ସଙ୍ଗୀନ ଅଭିଯୋଗ ।
ଗାଁର ଏକ କୋଣରେ ଭଙ୍ଗା ଦଦରା ଘରେ ମାନସିକ ବିକାରଗ୍ରସ୍ତ ପୁଅକୁ ନେଇ ରୁହନ୍ତି 82 ବର୍ଷୀୟା ସରସ୍ବତୀ ଦାସ । ଘରେ ବିଦ୍ୟୁତ ବଲବର ଆଲୁଅ ପଡୁନଥିଲା ବେଳେ ସଞ୍ଜ ନଇଁଲେ ଡିବିରିକୁ ଭରସା କରି ବଞ୍ଚନ୍ତି ମା’ ଓ ପୁଅ । ହେଲେ ୨୦୨୦ ଜୁଲାଇ ସୁଦ୍ଧା ନେସ୍କୋ ୱେବସାଇଟରେ ସରସ୍ବତୀଙ୍କ ଘରର ବିଦ୍ୟୁତ ବିଲ ବାବଦରେ ରହିଛି ୪ ଲକ୍ଷ ୫୩ ହଜାର ୩୮୧ ଟଙ୍କା । ଯାହାକି ସମସ୍ତଙ୍କୁ ଅଚମ୍ବିତ କରିଦେଇଛି ।
ସରସ୍ବତୀଙ୍କ ଘର ତାଙ୍କ ସ୍ବାମୀ ବେଣୁଧର ଦାସଙ୍କ ନାଁରେ ରହିଥିଲା ବେଳେ ବିଦ୍ୟୁତ ବିଲ ତାଙ୍କରି ନାଁରେ ରହିଛି । ତେବେ 2014 ମାର୍ଚ୍ଚ ସୁଦ୍ଧା ସରସ୍ବତୀଙ୍କ ଘରର ବିଦ୍ୟୁତ ବିଲ ବାବଦକୁ 12 ହଜାର ଟଙ୍କା ବକେୟା ଥିଲା । ହେଲେ ଏତେ ଟଙ୍କା ପୈଠ ପାଇଁ ସେ ସକ୍ଷମ ନଥିବାରୁ ତାଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିଦିଆଯାଇଥିଲା । ସେବେଠାରୁ ସରସ୍ବତୀ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ସୁଫଳ ମିଳିନଥିଲା । ଏଥିପାଇଁ ଦୀର୍ଘ ବର୍ଷ ଧରି ଏହି ପରିବାର ବିନା ବିଦ୍ୟୁତରେ ରହି ଆସୁଛନ୍ତି ।
ହେଲେ ଏବେ ମୋଟା ଅଙ୍କର ବିଦ୍ୟୁତ ବିଲ ସରସ୍ବତୀଙ୍କ ମୁଣ୍ଡରେ ଚଡକ ପକାଇଛି । ବକେୟା ପୈଠରେ ଅସମର୍ଥ ସରସ୍ବତୀଙ୍କ ଘରକୁ ପୁଣି ବିଦ୍ୟୁତ ଆସିବ କି ନାହିଁ ଚିନ୍ତା ଘାରିଛି । ଏନେଇ ଆମେ ବାରିପଦା ନେସ୍କୋ ନିରୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରିବା ପରେ ସେ ଏନେଇ ପଦକ୍ଷେପ ଗ୍ରହଣ କରିବା ସହ ଭୁଲର ସଂଶୋଧନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ