ରାଇରଙ୍ଗପୁର: ‘କାଳିଆ’ ପାଇଁ ରାଜ୍ୟର ବହୁ ଚାଷୀ ଲାଭବାନ ହେଉଛନ୍ତି । ହେଲେ କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏଭଳି ବିଭିନ୍ନ ଅଭିଯୋଗ କରି ବିଜେପିକୁ ତୀବ୍ର ନିନ୍ଦା କରିବା ସହ ପୁଣି ଥରେ ବିଜେଡି ସରକାର ଗଢିବାକୁ ରାଇରଙ୍ଗପୁରରେ ସମର୍ଥନ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭିଡିଓ ସୌଜନ୍ୟ-ପ୍ରତିନିଧି, ରାଇରଙ୍ଗପୁର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରତିଟି ପ୍ରମୁଖ ନିର୍ବାଚନୀ ମଣ୍ଡଳୀରେ କରୁଛନ୍ତି ଭୋଟ ଅପିଲ ।
ଗୁରୁବାର ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁର କଚେରୀ ପଡିଆକୁ ଆସି ଏକ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ଅପାରଗତା ସମ୍ପର୍କରେ ସେ ବଖାଣିଥିଲେ । ରାଜ୍ୟରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ପୁଣି ଥରେ ସରକାର ଗଢିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ଏକ ରୋଡ଼ ସୋ ରେ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବାସନ୍ତୀ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଚାର ସଭାରେ ବିପୁଳ ଜନାସମାଗମ ହୋଇଥିଲା ।
ରାଇରଙ୍ଗପୁରରୁ ସଞ୍ଜୀବ ପରିଡା, ଇଟିଭି ଭାରତ