ଓଡିଶା

odisha

ETV Bharat / state

ରାଇରଙ୍ଗପୁରରେ ମହମ୍ମଦ ଜୟନ୍ତୀ ପାଳିତ

ମହାଆଡମ୍ବରରେ ପାଳନ ହୋଇଛି ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ଶାନ୍ତି, ଧର୍ମ, ନ୍ୟାୟର ପ୍ରତୀକ ମହାପୁରୁଷ ଥିଲେ ପ୍ରଫେଟ ମହମ୍ମଦ । ମହମ୍ମଦଙ୍କ ଜୟନ୍ତୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଇରଙ୍ଗପୁର ସହର । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁରରେ ମହମ୍ମଦ ଜୟନ୍ତୀ ପାଳିତ
ରାଇରଙ୍ଗପୁରରେ ମହମ୍ମଦ ଜୟନ୍ତୀ ପାଳିତ

By

Published : Oct 9, 2022, 10:49 PM IST

ରାଇରଙ୍ଗପୁର: ସାରା ବିଶ୍ଵ ପାଳୁଛି ମହମ୍ମଦ ଜୟନ୍ତୀ ତଥା ଇଦ-ମୀଲାଦୁନ-ନବୀ । ଏହା ମୁସଲମାନ ମାନଙ୍କ ଅନ୍ୟତମ ଇଦ ପର୍ବ । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭକ୍ତି ଓ ଶ୍ରଦ୍ଧା ପୂର୍ବକ ଏହି ଦିନଟିକୁ ପାଳନ କରୁଥିବାବେଳେ, ରାଇରଙ୍ଗପୁରରେ ବେଶ ଧୁମ୍ ଧାମର ସହ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଉଛି (Muslim community celebrates muhammad birth ceremony in Rairangpur) । ସେହିପରି ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଭିନ୍ନ ମୁସଲିମ ଗ୍ରାମରେ ଆଡ଼ମ୍ବରସହାକାରେ ପାଳିତ ହୋଇଯାଇଛି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ।

ହାତରେ ନିଶାନ ଧରି ମସଜିଦ ନିକଟରେ ଏକତ୍ରିତ ହୋଇଥିଲେ ମୁସଲିମ ଲୋକେ । ଏକ ସୁସଜ୍ଜିତ ଗାଡ଼ିରେ ମକ୍କାର ଅବିକଳ ରଖି ରାଇରଙ୍ଗପୁର ସହରରେ ଶୋଭାଯାତ୍ରାରେ ବାହାରିଥିଲେ ହଜାର ହଜାର ଲୋକେ । ଠାକୁରାଣୀବେଡାରୁ ଶୋଭାଯାତ୍ରା ବାହାରି ଅଁଳାଡୁବ ଫାଟକ, ଗୋଲେଇ ଛକ, ଦୁର୍ଗାମଣ୍ଡପ ଛକ, ଷ୍ଟେସନ ରୋଡ଼ ଦେଇ ଠାକୁରାଣୀ ବେଡା ମସଜିଦ ନିକଟରେ ଏକଜୁଟ ହୋଇଥିଲେ ।

ରାଇରଙ୍ଗପୁରରେ ମହମ୍ମଦ ଜୟନ୍ତୀ ପାଳିତ

ମହମ୍ମଦ ସାଲେଲଲାହୁ ଆଲୈହି ୱା ସାଲଲାମଙ୍କ ଶାନରେ ନାତ ସରିଫ୍ ଗାନ କରିବା ସହ ମହମ୍ମଦଙ୍କ ସ୍ମୃତିରେ ସ୍ଲୋଗାନ ମାନ ଦେଇ ଉତ୍ସାହର ସହ ବଜାର ପରିକ୍ରମା କରିବା ପରେ ସମୂହ ପ୍ରାର୍ଥନା କରାଯାଇଥିଲା । ଆରବ ଦେଶରେ ମହାପୁରୁଷ ହଜରତ ମହମ୍ମଦ ଏହି ଦିନରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଆଜିର ଏହି ପବିତ୍ର ଦିବସକୁ ସାରା ଜଗତର ମୁସଲିମ ସମାଜ ପକ୍ଷରୁ ଇଦ୍-ଏ-ମିଲାଦୁନ-ନବୀ ପର୍ବ ଭାବେ ହର୍ଷ ଉଲ୍ଲାସର ସହିତ ପାଳନ କରାଯାଇଥାଏ । ରାଇରଙ୍ଗପୁର ସହର, ଭାଲୁବସା, ଗମ୍ଭାରୀଆ, ବଡଦୁନ୍ଦୁ, ଲୁହାକାନି, କୁସୁମୀ, ଟେଣ୍ଟପୋଷି ଗ୍ରାମରେ ପାଖାପାଖି ଗ୍ରାମର ଲୋକେ ଏକତ୍ରିତ ହୋଇ ଜୁଲୁସ ଶୋଭାଯାତ୍ରାରେ ବାହାରିଥିଲେ ।

ରାଇରଙ୍ଗପୁର ସହରର ଠାକୁରାଣୀବେଡା ଓ ଇଚିଣ୍ଡା ମୁସଲିମ କମିଟିର ଲୋକେ ଇସ୍ଲାମିକ ବେଶଭୁଷାରେ ବାହାରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ଦୃଶ୍ୟ ବେଶ ଆଧ୍ୟାତ୍ମିକ ଥିଲା । ଠାକୁରାଣୀ ବେଡା ମୁସଲିମ କମିଟିର ଅବଦୁଲ ମୁଜାହିଦ ଏମଡି ସାଦ୍ଦାମ, ଏମଡି ଇସ୍ମାଇଲ, କାରୀ ହାସ୍ମାତ, ଇଚିଣ୍ଡା ମୁସଲିମ କମିଟି ତରଫରୁ ଏସକେ ନାଶିର, ଏସକେ ଜାହିର, ନାଗଭଣ ମୁସଲିମ କମିଟିର ଏସକେ ରେବୁଲ, ସାଦ୍ଦାମ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ ।

ମହମ୍ମଦ ଜୟନ୍ତୀ ଉପଲକ୍ଷେ ରାଇରଙ୍ଗପୁରର ବିଭିନ୍ନ ମସଜିଦ ଗୁଡିକୁ ସୁସଜ୍ଜିତ କରାଯାଇଛି । ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ପରେ ମହମ୍ମଦଙ୍କ ଜୟନ୍ତୀ ପାଳନ କରୁଥିବାରୁ ମୁସଲିମ ସମ୍ପ୍ରଦାୟ ବେଶ ଖୁସିଥିବା ଜଣାପଡ଼ିଛି । ଶାନ୍ତି ଶୃଙ୍ଖଳା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଏହି ଦିନରେ ଲୋକଙ୍କ ସେବା କରି ଶାନ୍ତି ଓ ପ୍ରେରଣାର ବାର୍ତ୍ତା ଦିଆଯାଏ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details