ରାଇରଙ୍ଗପୁର:ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ମନୁଷ୍ୟ । ଅନ୍ଧବିଶ୍ବାସକୁ ନେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟି ଜଘନ୍ୟକାଣ୍ଡ । କେତେ ବେଳେ କାହାକୁ ହତ୍ୟା କରାଯାଉଛି ତ ଆଉ କିଏ ଆକ୍ରମଣର ଶିକାର ହେଉଛି । ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । ଗ୍ରାମରେ ଅଚାନକ କିଛି ଯୁବକଙ୍କ ମୃତ୍ୟୁ ହେବାରୁ ନିଷ୍ଠୁର ପାଲଟିଗଲେ ଗ୍ରାମବାସୀ । ଗୁଣି ଗାରିଡେ ସନ୍ଦେହରେ ଜଣେ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ମାଡ ମାରିବା ସହ ଗଙ୍ଗାରୁ କୋର୍ଟ କରାଇବା ପରେ ଜଙ୍ଗଲରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅଞ୍ଚଳରେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଝାଟିଅଡା ଗ୍ରାମର ବାଲି ହେମ୍ବ୍ରମ ନାମକ ଜନୈକ ମହିଳା ତାଙ୍କ ବୃଦ୍ଧା ମାଆ ଓ ଦୁଇ ପିଲାଙ୍କୁ ନେଇ ବସବାସ କରନ୍ତି । ମହିଳାଙ୍କ ସ୍ବାମୀ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । କିଛି ଦିନ ପୂର୍ବରୁ ଗାଁର ଏକାଧିକ ଯୁବକ ଅକାଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ଲୋକେ ହେମ୍ବ୍ରମ ଓ ତାଙ୍କ ବୃଦ୍ଧା ମାଆଙ୍କ ଉପରେ ଗୁଣ ଗାରେଡ଼ି ସନ୍ଦେହ କରି ଦୋଷ ଆରୋପ କରିଥିଲେ ।