ରାଇରଙ୍ଗପୁର:ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ 2 ଲକ୍ଷ ମିଶନ ଶକ୍ତି ମାଆଙ୍କୁ ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ । ଏହାର ସୁଧ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦକୁ ଆସିଛି ଏକ ମହାସଂଘ । ଚାନ୍ଦା ମାଗୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି ।
ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ଗତକାଲି (ବୁଧବାର) ରାଜ୍ୟ ସରକାର ମିଶନ ଶକ୍ତି ସ୍କୁଟି ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି କ୍ରମରେ ବ୍ୟାଙ୍କ ତରଫରୁ ଋଣରେ ୧୬ଟି ସ୍କୁଟି ଅଧିକାରୀଙ୍କ ସମ୍ମୁଖରେ ଠାକୁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ମହିଳାଙ୍କୁ ହସ୍ତାନ୍ତର କରା ଯାଇଥିଲା । ତେବେ ସ୍କୁଟି ନେଇ ମହିଳାମାନେ ଯାଉଥିବା ବେଳେ ଜିପିଓ କାର୍ଯ୍ୟାଳୟ ସାମ୍ନାରେ ଏକ ମହାସଂଘ ସମ୍ପାଦିକା ସୁଶୀଳା ସାହୁ ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କୁ ୧୦୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିବା ଦେଖିବାକୁ ମିଳିଥିଲା । ଚାନ୍ଦା ଟଙ୍କାରେ ଅଫିସରଙ୍କୁ ମିଠା ଦିଆଯିବ ବୋଲି ଭିଡିଓରେ ସମ୍ପାଦିକା ଜଣକ କହୁଥିବା ଦେଖିବାକୁ ମିଳିଥିଲା ।
ସ୍କୁଟି ନେଇ ଯାଉଥିବା ମହିଳା ଟଙ୍କା ନାହିଁ ବୋଲି କହିବାରୁ ଗାଡି ନେଉଛ ୧୦୦ ଟଙ୍କା ନାହିଁ ବୋଲି ତାତ୍ସଲ୍ୟ କରି କହିଥିଲେ ସମ୍ପାଦିକା ଜଣକ । ଏ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଧମକ ଦେଇଥିଲେ ସମ୍ପାଦିକା । ମୁଁ କିଏ ଜାଣିନ ବୋଲି କହିଥିଲେ ସମ୍ପାଦିକା ଜଣକ ।