ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାରେ ବାରମ୍ବାର ସାମ୍ନାକୁ ଆସୁଛି ଲୁଟ ଘଟଣା । ଏକ ଅଟୋ ପାର୍ଟ୍ସ ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ । ତିରିଂ ଥାନା ଅନ୍ତର୍ଗତ ରତନସାହି ଗ୍ରାମରେ ଘଟିଛି ଏହି ଲୁଟ ଘଟଣା । ଲୁଟେରାଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ ।
ଗୁରୁବାର ବିଳମ୍ବିତ ରାତିରେ ରତନସାହି ଗ୍ରାମରେ ଥିବା ଭୀମ ଅଟୋ ପାର୍ଟ୍ସ ନାମକ ଦୋକାନରେ ଦୁର୍ବୃତ୍ତ ମାନେ ପଶି ଲୁଟ କରିଥିଲେ । ଏହାପରେ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ବିଳମ୍ବିତ ରାତିରେ କେହି ନଥିବା ସୁଯୋଗ ନେଇ କିଛି ଦୁର୍ବୃତ୍ତ ଦୋକାନ ସଟର ତାଲା କାଟି ଲୁଟ କରିଥିଲେ । ବାଇକର ବ୍ୟାଟେରୀ, ଟାୟାର, ଚେନ୍, ବ୍ଲକ୍ ପିଷ୍ଟନ୍ ଚୋରି କରି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।
ଶୁକ୍ରବାର ସକାଳ ସମୟରେ ମାଲିକ ସତ୍ୟ ନାରାୟଣ ସାହୁ ଦୋକାନ ସଟର ଖୋଲା ଥିବା ଦେଖି ଭିତରକୁ ଯାଇଥିଲେ । ଏହାପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଦୋକାନ ମାଲିକ ତିରିଂ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି । ସିସିଟିଭି ଫୁଟେଜରେ ଦୁର୍ବୃତ୍ତ ମାନେ ଚୋରି କରୁଥିବା ବେଳେ ସେମାନଙ୍କ ଚେହେରା ମଧ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଅଞ୍ଚଳରେ ଏହିପରି ବାରମ୍ବାର ଚୋରି, ଲୁଟ ଘଟଣା ସବୁ ବୃଦ୍ଧି ପାଉଥିବା ବେଳେ ପୋଲିସର ହାତ ଖାଲି ରହିଛି ।