ରାଇରଙ୍ଗପୁର :ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଦିନ ଦ୍ବିପ୍ରହରେ ଲୁଟ କରୁଛନ୍ତି ଲୁଟେରା । ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଲ୍ୟାଣୀ ମଣ୍ଡପ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ତେନ୍ତଳା ଗାଁର ଆହ୍ଲାଦ ଚରଣ ମୁର୍ମୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖାରୁ ତିନି ଲକ୍ଷ ଟଙ୍କା ଉଠାଣ କରିଥିଲେ । ପରେ ନିଜ କାର ଯୋଗେ କଲ୍ୟାଣୀ ମଣ୍ଡପ ନିକଟକୁ ଆସି ଟଙ୍କା ଥିବା ବ୍ୟାଗ ଧରି କାରରୁ ଓହ୍ଲାଇ ଥିଲେ।
ସେହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ ଯୋଗେ ଆସି ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଝାମ୍ପି ନେଇଥିଲେ । ପରେ ସେଠାରୁ ଚମ୍ପଟ ମାରିଥିଲେ ଲୁଟେରା । ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନାରେ ଆହ୍ଲାଦ ଲିଖିତ ଅଭିଯୋଗ କରିଥିଲେ ।