ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ ଶୃଙ୍ଖଳା । ମୟୂରଭଞ୍ଜ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଆଜି (ଗୁରୁବାର) ଦ୍ବିପ୍ରହରରେ ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ବାରିପଦା-ଚିତ୍ରଡା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଚାରିଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ସୁନା ଗହଣା ।
ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ - ବାରିପଦାରେ ବନ୍ଧୁକ ଦେଖାଇ ଲୁଟ୍
14:47 January 07
ମୟୂରଭଞ୍ଜ ଜିଲ୍ଲା ବାରିପଦା-ଚିତ୍ରଡା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ ବାରିପଦା ନିକଟ ଭାରବାଡ଼ି ଅଞ୍ଚଳରୁ ନିଜ ସଡୁ ଘର ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଭିମୁଖେ ଦୀନକୃଷ୍ଣ ମାହାନା ତାଙ୍କ ପରିବାର ସହ ଯାଉଥିଲେ । ତେବେ ଗୁଞ୍ଜୁସାହି ନିକଟରେ ଦୁଇଟି ବାଇକରେ ଚାରି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସୁନା ଗହଣା ସବୁ ଲୁଟି ନେଇଛନ୍ତି । ପ୍ରତିବାଦ କରିବାରୁ ଲୁଟେରାମାନେ ଦୀନକୃଷ୍ଣ ମାହାନାଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି । ଦୁର୍ବୃତ୍ତମାନେ ଉଭୟ ହିନ୍ଦୀ ଏବଂ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବାବେଳେ ବାଇକ ଗୁଡିକ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟର ନମ୍ବର ପ୍ଲେଟ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ଖବର ପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ମୟୂରଭଞ୍ଜ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପ୍ରହର ଲୁଟେରାମାନେ ଲୁଟ କରୁଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ