ଓଡିଶା

odisha

ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

ଗାଇ ଚରାଇବାକୁ ଯାଇଥିବା ସମୟରେ 11 ହଜାର ଭୋଲ୍ଟର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ । ଏନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

By

Published : Aug 18, 2019, 6:38 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଗାଇ ଚରାଇବାକୁ ଯାଇଥିବା ସମୟରେ 11 ହଜାର ଭୋଲ୍ଟର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ । ଏନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ମୃତ ନାବାଳକ ଜଣଙ୍କ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅଞ୍ଚଳର ଘନଶ୍ୟାମ ହୋଙ୍କ ପୁଅ ସଦା ହୋ(16) ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଖୁଣ୍ଟାପୋଷି ଗ୍ରାମରେ ଥିବା ଏକ ପୋଖରୀ ଆଡି ଉପରେ 11 କେଭି ବିଦ୍ୟୁତ ତାର ଝୁଲି ରହିଥିଲା । ଏନେଇ ବିଦ୍ୟୁତ ବିଭାଗକୁ ଗ୍ରାମବାସୀ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି କର୍ଣ୍ଣପାତ କରି ନଥିଲେ । ଏଭଳି ସ୍ଥିତିରେ ଗାଇ ଚରାଇବାକୁ ଯାଇଥିବା ସମୟରେ ଅସାବଧାନତାବଶତଃ ନାବାଳକ ଜଣକ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ନାବାଳକ ।

ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବାରୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଅନ୍ୟପଟେ ଠାକୁରମୁଣ୍ଡା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହି କ୍ଷତିପୂରଣ ଦାବି କରିଥିଲେ ।

ବିଦ୍ୟୁତ ବିଭାଗ କ୍ଷତିପୂରଣ ବାବଦରେ ପରିବାରକୁ 50000 ଦେବାକୁ ରାଜି ହୋଇଥିବା ବେଳେ ସ୍ଥାନୀୟ ତହସିଲଦାର 25000ଟଙ୍କା ନଗଦ ହସ୍ତାନ୍ତର କରିଥିଲେ ଓ ବାକି 25000 ଟଙ୍କା ମଙ୍ଗଳବାର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଏଥିସହ ବ୍ଲକ ପ୍ରଶାସନ ପକ୍ଷରୁ ବିଜୁ ପକ୍କା ଘର, ଭତ୍ତା ଏବଂ 20000 ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ପ୍ରତିଶୃତି ଦେଇଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ଶାନ୍ତ ହେବା ସହ ରାତି ପ୍ରାୟ 8 ଟା ସମୟରେ ରାସ୍ତା ଅବରୋଧରୁ ହଟିଥିଲେ । ଏନେଇ ଠାକୁରମୁଣ୍ଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details