ରାଇରଙ୍ଗପୁର:ରାଷ୍ଟ୍ରପତି ଭାଷଣ ଦେବା ସମୟରେ ସମ୍ମାନ ଭୁଲି ଗଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ମଞ୍ଚରେ ଗୋଡ ଉପରେ ଗୋଡ ପକାଇ ବସିଥିବା ନଜରକୁ ଆସିଲେ ମନ୍ତ୍ରୀ । ଦେଶର ସର୍ବୋଚ୍ଚ ନାଗରିକକଙ୍କ ପ୍ରତି ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହଁ ବୋଲି କହିଲା ବିଜେପି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଷ୍ଟ୍ରପତି ପୋଡିୟମରେ ଛିଡା ହୋଇ ଭାଷଣ ଦେଉଛନ୍ତି । ଏହି ସମୟରେ ମଞ୍ଚ ଉପରେ ରାଜ୍ୟପାଳ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବସିଛନ୍ତି । ପ୍ରଫୁଲ୍ଲ ମଲ୍ଲିକ ଗୋଡ ଉପରେ ଗୋଡ ପକାଇ ବସିଥିଲା ଦେଖିବାକୁ ମିଳିଛି । ଏ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରପତି ସାମିଲ ହୋଇଥିବା ବେଳେ ଖଣିମନ୍ତ୍ରୀଙ୍କ ଏପରି ଆଚରଣ ସମସ୍ୟଙ୍କୁ ବ୍ୟଥିତ କରିଛି।
ଗତ 4 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର କଚେରୀ ପଡିଆରେ ଏକ ନାଗରିକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲା ରାଇରଙ୍ଗପୁର ପୌରପାଳିକା। ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ଓଡ଼ିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ । ତେବେ ସେଠାରେ କିଛି ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିବା ପରେ ମହାମହିମ ରାଷ୍ଟ୍ରପତି ଉକ୍ତ ମଞ୍ଚରେ ନିଜ ଅଭିଭାଷଣ ଦେଉଥିବା ସମୟରେ ମଞ୍ଚାସୀନ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୋଡ଼ ଉପରେ ଗୋଡ଼ ରଖି ବସିଥିଲେ।