ବାରିପଦା: ମାନସିକ ବିକାରଗ୍ରସ୍ତ ଯୁବକର ଉନ୍ମତ୍ତକାଣ୍ଡ । ୭୦ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଚଢି ଦେଲା ଆତ୍ମହତ୍ୟାର ଧମକ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅମରଦା ଗ୍ରାମପଞ୍ଚାୟତ ପରିସରରେ ଥିବା ପାଣିଟାଙ୍କି ନିକଟରେ ।
ସେହି ଗାଁର ଜଣେ ମାନସିକ ବିକାରଗ୍ରସ୍ତ ଯୁବକ କାଳିଚରଣ ନାୟକ ସୋମବାର ଦ୍ବିପ୍ରହର ସମୟରେ ପାଣିଟାଙ୍କି ଉପରକୁ ଚଢି ଆତ୍ମହତ୍ୟାର ଧମକ ଦେଇଥିଲା । ଗାଁ ଲୋକ ଏହା ଦେଖି ତାକୁ ତଳକୁ ଓହ୍ଲାଇବା ପାଇଁ କାକୁତି ମିନତି ହୋଇଥିଲେ ମଧ୍ୟ ସେ ତଳକୁ ଓହ୍ଲାଇନଥିଲା । ଏନେଇ ଗ୍ରାମବାସୀ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି କୌଶଳ କ୍ରମେ ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ସମୟ ପରେ ଯୁବକକୁ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲେ ।