ଓଡିଶା

odisha

ETV Bharat / state

ଦେବକୁଣ୍ଡ ଜଳପ୍ରପାତରେ ବୁଡି ମେଡିକାଲ ଛାତ୍ରଙ୍କ ମୃତ୍ୟୁ - pandit raghunath murmu medical college

ଦେବକୁଣ୍ଡ ବୁଲିବାକୁ ଯାଇଥିବାବେଳେ ଜଳପ୍ରପାତ ଭିତରକୁ ଖସି ପଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ମେଡିକାଲ ଛାତ୍ର ଜଣକ ବ୍ରହ୍ମପୁରର ଲିପନ ସାହୁ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ଦେବକୁଣ୍ଡ ଜଳପ୍ରପାତରେ ବୁଡି ମେଡିକାଲ ଛାତ୍ର ମୃତ
ଦେବକୁଣ୍ଡ ଜଳପ୍ରପାତରେ ବୁଡି ମେଡିକାଲ ଛାତ୍ର ମୃତ

By

Published : Jun 4, 2023, 10:10 PM IST

ରାଇରଙ୍ଗପୁର:ଦେବକୁଣ୍ଡ ଜଳପ୍ରପାତରେ ବୁଡି ଚାଲିଗଲା ମେଡିକାଲ ଛାତ୍ରଙ୍କ ଜୀବନ । ମୃତ ମେଡିକାଲ ଛାତ୍ର ଜଣକ ବ୍ରହ୍ମପୁର ଥାନା ଅନ୍ତର୍ଗତ ଗୋଳନ୍ଥରା ଅଞ୍ଚଳର ଲିପନ ସାହୁ ବୋଲି ଜଣାପଡିଛି । ଲିପନ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଧ୍ୟୟନ କରୁଥିଲେ । ସେ ମେଡିକାଲର ତୃତୀୟ ବର୍ଷର ଛାତ୍ର ଥିଲେ । ତେବେ ଲିପନ ସାଙ୍ଗମାନଙ୍କ ସହ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦେବକୁଣ୍ଡକୁ ବୁଲିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଯାଇଛି ।

ସୂଚନା ଅନୁଯାୟୀ, ଲିପନ ନିଜ ସାଙ୍ଗମାନଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡକୁ ବୁଲିବାକୁ ଆସିଥିଲେ । ତାଙ୍କ ସହିତ 7 ଜଣ ମେଡିକାଲ ଛାତ୍ର ମଧ୍ୟ ରହିଥିଲେ । ସମସ୍ତେ ଦେବକୁଣ୍ଡରେ ବୁଲାବୁଲି କରିବା ସହ ଖୁବ ମଜା ମସ୍ତି କରିଥିଲେ। ହେଲେ ହଠାତ୍ ସେହି ସମୟରେ ଘଟିଥିଲା ଅଘଟଣ । ସେଠାରେ ଥିବା ଏକ ଜଳପ୍ରପାତ ନିକଟରେ ଛିଡ଼ା ହୋଇଥିବାବେଳେ ହଠାତ୍ ଜଳପ୍ରପାତ ମଧ୍ୟକୁ ଖସିପଡିଥିଲେ ଲିପନ । ତେବେ ଅସାବଧାନତାବଶତଃ ଲିପନଙ୍କ ଗୋଡ଼ ଖସିଯାଇଥିଲା ବୋଲି ସାଙ୍ଗମାନେ କହିଛନ୍ତି । ଜଳପ୍ରପାତ ମଧ୍ୟରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଥିବାବେଳେ ଲିପନ ଅତ୍ୟନ୍ତ ଗଭୀରକୁ ଚାଲିଯାଇଥିଲେ । ଆଉ ସେଠାରୁ ବାହାରିବା ମୁସ୍କିଲ ହୋଇପଡିଥିଲା ।

ଫଳରେ ସେଠାରେ ଥିବା ଗଭୀର ଜଳ ମଧ୍ୟରେ ଲିପନ ବୁଡ଼ି ଯାଇଥିଲେ । ଲିପନ ବୁଡିଯିବାର ଦେଖିବା ପରେ ତାଙ୍କ ସାଙ୍ଗ ମାନେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ଆଉ ଲିପନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । ତେବେ ଅଞ୍ଚଳବାସୀଙ୍କ ସହାୟତାରେ ଲିପନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତୁରନ୍ତ ନିକଟସ୍ଥ ଶ୍ରୀଦାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡିଛି ।

ଏନେଇ ଉଦଳା ଥାନା ପୋଲିସକୁ ଖବର ଦିଆଯିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲକୁ ପଠାଇଥିଲା ପୋଲିସ । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡାକ୍ତରୀ ଛାତ୍ରଙ୍କ ଏଭଳି ଅକାଳ ମୃତ୍ୟୁରେ ପରିବାର ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତେବେ ଅନେକ ସମୟରେ ପର୍ଯ୍ୟଟନସ୍ଥଳୀକୁ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକମାନଙ୍କର ଜୀବନ ଯାଉଛି। ଏନେଇ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details