ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ ନା ଅଛି ଅଗ୍ନି ନିର୍ବାପକ ଯନ୍ତ୍ର ନା ଅଛି ଅନ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା । ଏନେଇ ସୋମବାର ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ଥିବା ବିଭିନ୍ନ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନକୁ ତଦାରଖ କରାଯାଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ତେବେ ଜିଲ୍ଳାରେ ଥିବା ୨୫ଟି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ତାହାକୁ ତଦାରଖ କରିବା ପାଇଁ ସୋମବାର ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦଫାରେ ୫ଟି ଘରୋଇ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ।
ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ଜେନାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ ସହର ମଧ୍ୟରେ ଥିବା ଅରୁଣଦ୍ବୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାଇସିଦ୍ଧି ଆବାସିକ ଉଚ୍ଚ ବିଦ୍ୟାଳୟ, ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପ୍ରିନ୍ସ କଲେଜରେ ଯାଞ୍ଚ କରିଥିଲେ । ଏଥିସହ ଏହି ଯାଞ୍ଚରେ କ୍ଲାସ୍ ରୁମ୍, ରୋଷେଇ ଘର, ଡାଇନିଂ ହଲ, ଲ୍ୟାବ୍ ଆଦିକୁ ମଧ୍ୟ ଯାଞ୍ଚ କରାଯାଇଥିଲା ।
ଯାହା ଦ୍ବାରା ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମହଜୁଦ ନଥିବା ଦେଖିବାକୁ ମିଳିଥିଲା। ଫଳରେ ଆସନ୍ତା ୧୫ ଦିନ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ଅଗ୍ନିଶମ ବିଭାଗରୁ ଏନଓସି ଆଣିବାକୁ ଶିକ୍ଷାନୁଷ୍ଠାନର ମାଲିକମାନଙ୍କୁ ନୋଟିସ୍ ପଠାଯିବ ବୋଲି ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ଜେନା ଚେତାବନୀ ଦେଇଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ