ରାଇରଙ୍ଗପୁର: ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଘନ ଘନ ବୋମା ଓ ମିଜାଇଲ ମାଡରେ ଧ୍ବଂସବିଧ୍ବସ୍ତ ହେଉଛି ୟୁକ୍ରେନ । ସେଠାରେ ଧ୍ବଂସଲୀଳା ଜାରି ରହିଥିବାବେଳେ ଏଣେ ଓଡିଶାରେ ପିଲାଙ୍କ କଥା ଭାବି ଭାବି ଭୋକଶୋଷ ଭୁଲି ଯାଇଛନ୍ତି ବାପାମାଆ । କାରଣ ୟୁକ୍ରେନରେ ଡାକ୍ତରୀ ପଢିବାକୁ ଯାଇଥିବା ପୁଅ ସେଠାରେ ଫସି ରହିଛି । ଓଡିଶାରୁ ଅନେକ ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୟୂରଭଞ୍ଜର ମେଡାକାଲ ଛାତ୍ର ପଙ୍କଜ କୁମାର ମହାନ୍ତ ।
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଡମ୍ବରୁଧର ମହାନ୍ତ ଓ ତପସ୍ୱିନୀ ମହାନ୍ତଙ୍କ ପୁଅ ହେଉଛନ୍ତି ପଙ୍କଜ । ସେ ୟୁକ୍ରେନର ଖାରକିଭ୍ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ପଞ୍ଚମ ବର୍ଷର ଛାତ୍ର । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ବନ୍ଦ ରହିଥିବା କାରଣରୁ ପଙ୍କଜ ଓଡିଶା ଫେରିପାରି ନାହାନ୍ତି ଏବଂ ଭୟ ଆତଙ୍କ ମଧ୍ୟରେ ସେଠାରେ ରହିଛନ୍ତି ।