ରାଇରଙ୍ଗପୁର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ଏନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ରହିଛି । ଚାରିଆଡେ ପ୍ରଭୁ ଗଜନାନଙ୍କ ମାଟି ନଡାରେ ପ୍ରସ୍ତୁତ ମୂର୍ତ୍ତି ଏବଂ ଆକର୍ଷଣୀୟ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ପୂଜା ପାଉଥିବା ବେଳେ ରାଇରଙ୍ଗପୁର ସହରର ପ୍ରଭୁ ଗଜାନନଙ୍କ କାଗଜ ନିର୍ମିତ ମୂର୍ତ୍ତି ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛି । ପ୍ରଦୂଷଣ ରୋକିବା ପାଇଁ ସୁପ୍ରିୟା ବାରିକ ନାମକ ଜଣେ ଛାତ୍ରୀ ଏହି କାଗଜ ମୂର୍ତ୍ତି ତିଆରି କରିଛନ୍ତି । ଯାହାର ଉଚ୍ଚତା ରହିଛି ୫ ଫୁଟ । ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ସମୟ ଲାଗିଥିବା ବେଳେ ମାତ୍ର ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି । ଛାତ୍ରୀଙ୍କ ଏହି ନିଆରା କଳାକୃତି ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଛି ।
ରାଇରଙ୍ଗପୁର ସହର ଅନ୍ତର୍ଗତ ୱାର୍ଡ ନଂ ୦୨ ବାଇଦାପୋଷି ଅଞ୍ଚଳର ସଞ୍ଜିବ କୁମାର ବାରିକ ଓ ରମ୍ଭାବତୀ ବାରିକଙ୍କ ଝିଅ ସୁପ୍ରିୟା ବାରିକ । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରୁ ସେ ଚଳିତ ବର୍ଷ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପ୍ରତ୍ୟେକ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକରେ ଗଣେଶ ପୂଜା ପାଳନ କରାଯାଇଥାଏ । ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ମାଟିରେ ତିଆରି ମୂର୍ତ୍ତି ପୂଜର୍ଚ୍ଚନା ହୋଇଥାଏ । ପୂଜା ପରେ ମୂର୍ତ୍ତି ବିସର୍ଜନ ପ୍ରଥା ଥିବାରୁ ବିଭିନ୍ନ ପୋଖରୀ ଓ ନଦୀରେ ମୂର୍ତ୍ତି ବିସର୍ଜନ କରାଯାଇଥାଏ । ଫଳରେ ଜନସାଧାରଣଙ୍କ ଲୁଗାପଟା ଧୁଆ ଓ ଗାଧୁଆ ପାଧୁଆ କାମରେ ବ୍ୟବହୃତ ଉକ୍ତ ପାଣି ପ୍ରଦୂଷିତ ହୋଇଥାଏ । ଏହି ଜଳ ପ୍ରଦୂଷଣକୁ ରୋକିବା ଏବଂ କମ ଖର୍ଚ୍ଚରେ ଆକର୍ଷଣୀୟ ମୂର୍ତ୍ତି ତିଆରି ପାଇଁ ସୁପ୍ରିୟା ବାରିକ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ ।