ରାଇରଙ୍ଗପୁର: ଲଦାଖର ଗଲୱାନ ଘାଟିରେ ହୋଇଥିବା ଚୀନ ଓ ଭାରତୀୟ ସେନାର ସଂଘର୍ଷରେ ଶହୀଦ ହୋଇଯାଇଛନ୍ତି ଭାରତର 20 ବୀର ଯବାନ । ଏଥିରେ ବୀରଗତି ପ୍ରାପ୍ତ କରିଥିବା ଓଡିଶାର ଦୁଇ ଯବାନଙ୍କ ମଧ୍ୟରେ ସାମିଲ ଅଛନ୍ତି ମୟୂରଭଞ୍ଜ ମାଟିର ପୁଅ ନନ୍ଦୁରାମ ସୋରେନ । ସେଦିନ ଭାରତ ଚୀନ-ସୀମା ଗଲୱାନ ଉପତ୍ୟକାରେ ଘଟିଥିବା ପ୍ରତିଟି ଘଟଣାକୁ ନିଜ ମୁହଁରେ ବର୍ଣ୍ଣନା କରିଛନ୍ତି ନନ୍ଦୁରାମଙ୍କ ସାଥି ଯବାନ ତଥା ବାରିପଦା ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ହାବିଲଦାର ନବୀନ କୁମାର ହାଁସଦା ।
ଗଲୱାନ ଘାଟିର କାହାଣୀ ବର୍ଣ୍ଣନା କଲେ ଶହୀଦଙ୍କ ସାଥି ଯବାନ ଏତେ ଉଚ୍ଚ ପର୍ବତମାଳା ଉପରେ ଭାରତୀୟ ସେନା ଉପରେ ଚୀନ ସେନା କିପରି ଭୀରୁ ଭାବେ ପଛପଟୁ ଆକ୍ରମଣ କରିଥିଲେ, ଯାହା ଫଳରେ ଦେଶର କୋଡିଏ ଜଣ ଯବାନ ଶହୀଦ ହୋଇଥିଲେ ଏସବୁକୁ କ୍ୟାମେରା ସାମ୍ନାରେ କହିଛନ୍ତି ନବୀନ କୁମାର ।
ମୟୂରଭଞ୍ଜ ମାଟିର ବୀରପୁତ୍ର ଶହୀଦ ନନ୍ଦୁରାମ ସୋରେନଙ୍କ ପାଇଁ ଆଜି ସାରା ଦେଶ ଗର୍ବିତ । ଶୁକ୍ରବାର ଶହୀଦ ନନ୍ଦୁରାମଙ୍କ ପାର୍ଥିବ ଶରୀର ରାଇରଙ୍ଗପୁର ସହର ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ପରିବାର, ବନ୍ଧୁ ବର୍ଗ, ନେତା, ମନ୍ତ୍ରୀ, ସମାଜସେବୀ, ପ୍ରଶାସନିକ ଅଧିକାରୀ ଓ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାନ୍ତାଳୀ ପରମ୍ପରା ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ତାଙ୍କ ସହିତ 16 ବିହାର ରେଜିମେଣ୍ଟରେ ଦୀର୍ଘ 18 ବର୍ଷ ଧରି ଏକା ସହିତ ଏକା ୟୁନିଟରେ କାର୍ଯ୍ୟ କରୁଥିଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ହାବିଲଦାର ନବୀନ କୁମାର ହାଁସଦା । ନନ୍ଦୁରାମଙ୍କ ବିୟୋଗରେ ତାଙ୍କ ସାଥି ଯବାନ ନବୀନ ମର୍ମାହତ ହୋଇ ପଡିଥିବା ବେଳେ ଦେଶ ପାଇଁ ବଳିଦାନ ଦେଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ