ରାଇରଙ୍ଗପୁର: ଭାରତ-ଚୀନ ସୀମାର ଗଲୱାନରେ ଶହୀଦ ହୋଇଥିବା ଓଡିଆ ପୁଅ ଶହୀଦ ନନ୍ଦୁରାମ ସୋରେନଙ୍କ ମରଶରୀର ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛି । ମରଶରୀର ରାତି 2.30ରେ ପହଞ୍ଚିବା ପରେ ଆଜି ସକାଳ 5ଟାରେ ରାଇରଙ୍ଗପୁର ସହର ପରିକ୍ରମା କରାଯାଇ ତାଙ୍କ ଇଚିଣ୍ଡା ସ୍ଥିତ ବାସଭବନକୁ ନିଆଯାଇଛି । ତେବେ ଆଜି ତାଙ୍କ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ତାଙ୍କ ଶହୀଦ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।
ଗତକାଲି ବିଳମ୍ବିତ ରାତ୍ରିରେ ଶହୀଦ ନନ୍ଦୁରାମ ସୋରେନଙ୍କ ମରଶରୀର ରାଇରଙ୍ଗପୁର ସହରରେ ପହଞ୍ଚିଥିଲା । ଶୁକ୍ରବାର ସକାଳ 5ଟା ସମୟରେ ରାଇରଙ୍ଗପୁର ଟାଉନ ଥାନାରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ରାଇରଙ୍ଗପୁର ସହର ପରିକ୍ରମା କରାଯାଇଥିଲା । ସହର ପରିକ୍ରମା ସମୟରେ ଶହୀଦ ବୀର ଯବାନ ନନ୍ଦୁରାମ ସୋରେନ ଅମର ରହେ ଧ୍ବନିରେ ସାରା ସହର ପ୍ରକମ୍ପିତ ହୋଇଉଠିଥିଲା । ରାଇରଙ୍ଗପୁର ସହରରେ ଥିବା ତାଙ୍କ ବାସଭବନକୁ ମର ଶରୀର ନିଆଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ଲୋକେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହର ପରିକ୍ରମା ସମୟରେ ସ୍ଥାନୀୟ ନେତା, ବିଧାୟକ, ସାଂସଦ, ମୟୂରଭଞ୍ଜ ଜିଲ୍ଲାପାଳ, ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ତଥା ରାଇରଙ୍ଗପୁରର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।