ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ଗୁରୁବାର ଦିନ ଜଣେ ସ୍ତ୍ରୀକୁ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲଦଣ୍ଡ ଭୋଗିବା ନେଇ ରାୟ ପ୍ରକାଶ କରିଛନ୍ତି । ୨୦୧୭ ମସିହାରେ ଝାରପୋଖରିଆ ଥାନା ଅନ୍ତର୍ଗତ ଖଇରବଣୀ ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଗ୍ରାମର ରାଜାରାମ ହାଁସଦା ନିଜ ସ୍ତ୍ରୀକୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ଆସାମୀ ରାଜାରାମକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି ।
ସୂଚନା ମୁତାବକ, ୨୦୧୭ ମସିହା ଡିସେମ୍ବର ମାସ ୧୭ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଖଇରବଣୀ ଗ୍ରାମରେ ରୁକ୍ମିଣୀ ହାଁସଦା ନାମକ ମହିଳାଙ୍କୁ ହତ୍ୟା କରାଯାଇଥିଲା । କୌଣସି ଘଟଣାକୁ ନେଇ ରୁକ୍ମିଣୀ ଓ ତାଙ୍କ ସ୍ବାମୀ ରାଜାରାମ ଭିତରେ ବଚସା ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାଜାରାମ ଏକ ଧାରୁଆ ଛୁରୀରେ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ରୁକ୍ମିଣୀଙ୍କ ମୃତ୍ୟୁ ଘଟିଥିଲା । ମହିଳାଙ୍କ ବାପା ନାରାୟଣ ମୁର୍ମୁ ଘଟଣାର ପର ଦିନ ଝିଅ ଘରକୁ ଆସିଥିବା ବେଳେ ରୁକ୍ମିଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିଥିଲେ ।
ଏହାମଧ୍ୟ ପଢନ୍ତୁ: ମୟୂରଭଞ୍ଜରେ ଦୁର୍ନୀତିଗ୍ରସ୍ତ କିରାଣୀଙ୍କୁ ୫ ବର୍ଷ ଜେଲ୍