ଓଡିଶା

odisha

ETV Bharat / state

18 ବର୍ଷ ପରେ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାର ଆସିଲା ରାୟ, ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ । ଅଧିକ ପଢନ୍ତୁ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ୍
ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ୍

By

Published : Jul 26, 2023, 6:51 AM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଦୀର୍ଘ ୧୮ ବର୍ଷ ପରେ ଦୋଷୀକୁ ଦଣ୍ଡ ମିଳିଛି । ଦୁଷ୍କର୍ମକାରୀକୁ ୧୦ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଶାନ୍ତ କୁମାର ମିଶ୍ର ଏହି ଗଣଦୁଷ୍କର୍ମ ମାମଲାର ଶେଷ ଅଭିଯୁକ୍ତ ମଧୁ କାରୁଆକୁ ଦୋଷୀ ସାବ୍ୟସ୍ତ କରି ଉକ୍ତ ରାୟ ଶୁଣାଇଛନ୍ତି । ସମସ୍ତ ସାକ୍ଷ୍ୟ, ତଥ୍ୟ, ପ୍ରମାଣ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି କୋର୍ଟ ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ କାରାଦଣ୍ଡର ବିଧାନ କରିଛନ୍ତି । ରାୟ ପ୍ରକାଶ ପାଇବା ପରେ ଆସାମୀକୁ କରଞ୍ଜିଆ ଉପକାରାଗାରକୁ ପଠାଇ ଦିଆଯାଇଛି ।

୨୦୦୫ ମସିହା ଅକ୍ଟୋବର ମାସ ୧୪ ତାରିଖ । ମୟୂରଭଞ୍ଜ ଜିଲ୍ଲାର ଘାଗରବେଡା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ଝାଡଖଣ୍ଡ ରାଜ୍ୟ ମଝିଗାଁ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ ପରେ ଜଙ୍ଗଲ ଭିତରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଘାଗରବେଡା ଥାନାରେ ଏକ ଅଭିଯୋଗ ହୋଇଥିଲା । ସେହିଦିନ ଜନୈକା ନାବାଳିକା ଘାଗରବେଡାକୁ ଦୁର୍ଗା ପୂଜା ମେଳା ବୁଲିବାକୁ ଆସିଥିଲେ । ମେଳାରୁ ଘରକୁ ଫେରୁଥିବା ବେଳେ ମରିଚବାଙ୍କୀ ଛକ ଠାରେ ଚିତ୍ତରଞ୍ଜନ ହେସା ନାବାଳିକାଙ୍କୁ ବଳପୂର୍ବକ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲା । ପରେ ଶଶାଙ୍କ ଗ୍ରାମର କୁଳମଣି ମହାକୁଡ଼, ଫଗୁ ଗ୍ରାମର ଦେବେନ୍ଦ୍ର ନାଏକ ଏବଂ ଘାଗରବେଡା ଗ୍ରାମର ମଧୁ କାରୁଆ ପୀଡିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ସୀମା ଡେଇଁଲା ପାଶବିକତା: 80 ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଏହାପରେ ପୀଡିତା ଜଙ୍ଗଲ ମଝିରେ ଚେତାଶୂନ୍ୟ ହୋଇପଡିଥିଲେ । ଚେତା ଫେରିବା ପରେ କୌଣସି ପ୍ରକାରେ ସେ ନିଜ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ଘାଗରବେଡା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମଙ୍ଗଳବାର ଏହି ମାମଲାର ଶେଷ ଅଭିଯୁକ୍ତ ମଧୁ କାରୁଆକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ତେବେ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details