ରାଇରଙ୍ଗପୁର:ନାବାଳିକା ଦୁଷ୍କର୍ମ ମାମଲାର ୮ ବର୍ଷ ପରେ ପୀଡ଼ିତାକୁ ମିଳିଲା ନ୍ୟାୟ । ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୭୦୦୦ ଟଙ୍କା ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି । ଏହା ସହିତ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗକୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ଜଣକ ହେଲା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନିରଞ୍ଜନ ଗ୍ରାମର ଗୁରୁ ପ୍ରସାଦ ମୁର୍ମୁ ।
ସୂଚନା ଅନୁଯାୟୀ, ୨୦୧୫ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଏହି ଅଘଟଣ ଘଟିଥିଲା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନା ଅଧିନସ୍ଥ ଏକ ଅଞ୍ଚଳର ଜଣେ ବିଧବା ମହିଳାଙ୍କ ନାବାଳିକା ଝିଅକୁ ଗୁରୁ ଅପହରଣ କରି ନେଇ ଯାଇଥିଲା । ନାବାଳିକା ଝିଅକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା ଗୁରୁ ପ୍ରସାଦ । ଝିଅକୁ ନ ପାଇ ଶେଷରେ ମାଆ ବାରିପଦା ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ । ଥାନାରେ ଅପହରଣ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଶେଷରେ ଗୁରୁର ପତ୍ତା ପାଇ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲା । ଏହି ମାମଲାରେ ବାରିପଦା ଟାଉନ ଥାନା ପୋଲିସ ଗୁରୁକୁ ଗିରଫ କରିଥିଲା । ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଗୁରୁ ପ୍ରସାଦକୁ ବାରିପଦା କୋର୍ଟ ଚାଲାଣ କରାଯାଇଥିଲା ।