ରାଇରଙ୍ଗପୁର:ମାତୃହନ୍ତା ପୁଅକୁ ମିଳିଲା ଦଣ୍ଡ । ମାଆକୁ ହତ୍ୟା କରିବା ମାମଲାରେ ହତ୍ୟାକାରୀ ପୁଅକୁ ଆଜୀବନ ଜେଲ୍ ପଠାଇଲେ କୋର୍ଟ ।ମଙ୍ଗଳବାରମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ପାରିବାରିକ କଳହକୁ କେନ୍ଦ୍ରକରି ନିଜ ମାଆକୁ କଚାଡ଼ି ମାରିବା ଅଭିଯୋଗରେ ଅଭିଯୁକ୍ତ ପୁଅକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ୧୪ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି ଏହି ରାୟ ପ୍ରକାଶ ପାଇଛି । ମାତୃହନ୍ତା ପୁଅ ଜଣକ ବୈଶିଙ୍ଗା ଅନ୍ତର୍ଗତ ଅଁଳା ଗ୍ରାମପଞ୍ଚାୟତ ଅଧିନ ଡମ୍ବରୁଡହର ଗ୍ରାମର ହରି ମାରାଣ୍ଡି ।
ଏଠାରେ ସୂଚନାଯୋଗ୍ୟ ଯେ, ଘଟଣାଟି ଘଟିଥିଲା ୨୦୧୭ ମସିହା ମେ' ମାସ ୧୩ ତାରିଖରେ । ଡମ୍ବରୁଡହର ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଜାମ୍ଭିର ମାରାଣ୍ଡି ଓ ତାଙ୍କ ପୁଅ ହରି ମାରାଣ୍ଡି ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ହରି ନିଜ ଜନ୍ମକଲା ମାଆ ଜାମ୍ଭିରଙ୍କୁ ମାରପିଟ୍ କରିଥିଲା । ରାଗରେ ଉତ୍ତ୍ୟକ୍ତ ହୋଇ ଶେଷରେ ମାଆ ଜାମ୍ଭିରଙ୍କୁ ଘର ଭିତରେ କଚାଡ଼ି କଚାଡ଼ି ମାରି ଦେଇଥିଲା । ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ପାଖ ପଡ଼ୋଶୀ ଗୌରି ଟୁଡୁ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଘଟଣାରେ ତଦନ୍ତ ଆରମ୍ଭ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ହରି ମାରାଣ୍ଡିକୁ ଗିରଫ କରିଥିଲା । ପରେ ଅଭିଯୁକ୍ତ ହରି ମାରାଣ୍ଡିକୁ ବାରିପଦା କୋର୍ଟ ଚାଲାଣ କରାଯାଇଥିଲା ।