ବାରିପଦା :ମୟୂରଭଞ୍ଜ ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ଛକ ନିକଟରେ ବାଇକ ଓ ଡିଜେ ଗାଡି ମଧ୍ୟରେ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଗତ ରବିବାର ସନ୍ଧ୍ୟାରେ କୃଷ୍ଣଚନ୍ଦ୍ର ଗୋଲେଇ ଛକ ନିକଟରେ ଜଣେ ବାଇକ ଆରୋହୀ ନିକଟସ୍ଥ ପୋଲ ପାଖରେ ଠିଆ ହୋଇଥିବା ଏକ ଡିଜେ ଗାଡିକୁ ଧକ୍କା ଦେଇଥିଲେ ।
ଏହାମଧ୍ୟ ପଢ଼ନ୍ତୁ. ସଡ଼କ ଦୁର୍ଘଟଣାରେ ହରାଇଛନ୍ତି କି ପରିଜନ, ୨ ଲକ୍ଷ ଯାଏଁ ମିଳିବ କ୍ଷତିପୂରଣ
ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ପଛରେ ବସିଥିବା ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଭୁଆଶୁଣି ଗ୍ରାମପଞ୍ଚାୟତ ଟିଲ ଗ୍ରାମର ମଙ୍ଗଲ ମାରାଣ୍ଡିଙ୍କ ପୁଅ ବିମଲ ମାରାଣ୍ଡି ବୋଲି ଜଣା ପଡ଼ିଛି । ବିମଲ ଓ ତାଙ୍କ ସାଥୀ ଏକ ବ୍ୟକ୍ତିଗତ କାମରେ ବାହାରକୁ ଯାଉଥିଲେ । କାମ ସାରି ଘରକୁ ଫେରୁଥିଲେ । ହେଲେ ଘରକୁ ଫେରୁଥିବା ସମୟରେ କୃଷ୍ଣଚନ୍ଦ୍ର ଗୋଲେଇ ନିକଟସ୍ଥ ପୋଲ ପାଖରେ ବିମଲ ବାଇକ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ପୋଲ ପାଖରେ ଛିଡ଼ା ହୋଇଥିବା ଏକ ଡିଜେ ଗାଡି ସହ ଧକ୍କା ହୋଇଥିଲା । ତେବେ ଏଥିରେ ଉଭୟ ଅର୍ଥାତ ବିମଲ ଓ ତାଙ୍କ ସାଥୀ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁହିଁଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ବିମଲଙ୍କର ମୃତ୍ୟୁ ଘଟିଥିଲା ।