ରାଇରଙ୍ଗପୁର: ଗୌରୀ ଗଣନାଟ୍ୟ ଯାତ୍ରା ମୁଖ୍ୟ ଗେଟ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁରର ବ୍ଲକ ପଡ଼ିଆରେ । ତେବେ ମୃତ ବ୍ୟକ୍ତି ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହୁଲଡିହା ହାଟ ସାହିର ନରେନ୍ଦ୍ର ହାଁସଦା ।
ସୂଚନା ମୁତାବକ, ଗତ ଦୁଇଦିନଠାରୁ ରାଇରଙ୍ଗପୁର ବ୍ଲକ ପଡ଼ିଆଠାରେ ଗୌରୀ ଗଣନାଟ୍ୟର ଯାତ୍ରା ଲାଗିଛି । ଯାତ୍ରା ଦେଖିବାକୁ ନରେନ୍ଦ୍ର ହାସଁଦା ଯାଇଥିବା ବେଳେ ଗତକାଲି ଗୌରି ଗଣନାଟ୍ୟ ଯାତ୍ରା ମୁଖ୍ୟ ଗେଟ ସମ୍ମୁଖରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ମୃତକଙ୍କ ପରିବାର ଲୋକେ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।
ଏ ସମ୍ପର୍କରେ ମୃତ ନରେନ୍ଦ୍ରଙ୍କ ପୁଅ ସାଲଖୁ ହାଁସଦା ରାଇରଙ୍ଗପୁର ଟାଉନ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ବାପାକୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ସାଲଖୁ । ଏତଲା ପାଇବା ପରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରିଣୀ ରୋଜାଲିନ ବେହେରା ଓ ରାଇରଙ୍ଗପୁର ଏସ୍ଡିପିଓ ଗୋକୁଳାନନ୍ଦ ସାହୁ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହିତ ନରେନ୍ଦ୍ରଙ୍କ ଦୁଇ ସାଙ୍ଗ ଟୁଟୁ ଓ ରାଜାକୁ ଥାନାକୁ ଡକାଇ ପଚରାଉଚରା ଜାରି ରଖିଛି ପୋଲିସ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।