ଓଡିଶା

odisha

ETV Bharat / state

ମକର ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ, ଟୁସୁଗୀତରେ ଫାଟୁଛି ଗାଁଦାଣ୍ଡ - ଲୋକପ୍ରିୟ ଟୁସୁଗୀତ

ମକର ପାଳନ ପାଇଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର । ମକର ପର୍ବକୁ ନେଇ ଘରେଘରେ ଆନନ୍ଦର ମାହୋଲ । ଅଧିକ ପଢନ୍ତୁ..

ମକର ପାଇଁ ଉତ୍ସବମୁଖର ମୟୁରଭଞ୍ଜର କୁଡୁମି ସମ୍ପ୍ରଦାୟ
ମକର ପାଇଁ ଉତ୍ସବମୁଖର ମୟୁରଭଞ୍ଜର କୁଡୁମି ସମ୍ପ୍ରଦାୟ

By

Published : Jan 15, 2020, 5:33 PM IST

ବାରିପଦା: ଗଣପର୍ବ ମକର ପାଳନର ପାଇଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର । ମକର ପର୍ବକୁ ନେଇ ଘରେଘରେ ଆନନ୍ଦର ମାହୋଲ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଗଣପର୍ବ ରୂପେ ପାଳନ କରିଥାନ୍ତି I

ମକର ପାଇଁ ଉତ୍ସବମୁଖର ମୟୁରଭଞ୍ଜର କୁଡୁମି ସମ୍ପ୍ରଦାୟ

ମକରପର୍ବ ଅବସରରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଉଦୟ ପୂର୍ବରୁ ନଦୀରେ ସ୍ନାନ କଲେ ଗଙ୍ଗାସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଥିବାରୁ ନଦୀ ନାଳରେ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରିଛନ୍ତି ସମସ୍ତେ I ମକରପର୍ବ ହେଉଛି ଭାଇଚାର ଓ ବନ୍ଧୁମିଳନର ଅନନ୍ୟ ଉଦାହରଣ I ନିଜ ପରିବାରବନ୍ଧୁଙ୍କ ସହ ପର୍ବ ପାଳନ କରିବା ପାଇଁ କାମ ଧନ୍ଦାରୁ ସାମୟିକ ବିରତି ନେଇ ଗାଁକୁ ଫେରିଥାନ୍ତି ବାହାରେ ରହୁଥିବା ଲୋକେ I

ଏହି ପର୍ବରେ ଟୁସୁ ମିଳନ ହେଉଛି ସବୁଠୁ ଆକର୍ଷଣୀୟ I ଯାହା ମୁଖ୍ୟତଃ କୁଡୁମି ମହାନ୍ତ ସମ୍ପ୍ରଦାୟରେ ବେଶ ଗୁରୁତ୍ବ ବହନ କରିଥାଏ। ମକର ପର୍ବରେ କୁଡୁମୀ ସମ୍ପ୍ରଦାୟର ମହିଳା ଓ ଯୁବତୀ ମିଳିତ ହୋଇ ନିଜନିଜ ଭିତରେ ଟୁସୁ ଗୀତର ପ୍ରତିଯୋଗିତା ଆରମ୍ଭ କଲେଣି। ଟୁସୁ ଗୀତଗାଇ ଗାଁ ଦାଣ୍ଡରେ ବୁଲିବାର ଦୃଶ୍ୟ ବେଶ ମନରୋମ। ମକର ଦିନ ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଆନନ୍ଦ ଉଲ୍ଲାସରେ ଧୂମଧାମର ସହ ପର୍ବପାଳନ କରିବା ପରେ ବିଭିନ୍ନ ଅଞ୍ଚଳରେ ଟୁସୁମେଳା ଲାଗେ I ମେଳାକୁ ବିଭିନ୍ନ ଅଞ୍ଚଳରୁ ସୁସଜ୍ଜିତ ଟୁସୁ ଆସିଥାଏ I ଆଉ ଟୁସୁକୁ ନେଇ ଭାବବିହ୍ଵଳ ହୋଇ ମହିଳା ଓ ଯୁବତୀ ଲୋକପ୍ରିୟ ଟୁସୁଗୀତ ଗାଇ ଏହି ମୂର୍ତ୍ତିକୁ ନଦୀନାଳରେ ବିସର୍ଜନ କରିଥାନ୍ତି।

ଅନ୍ୟପଟେ ମୋଗଲ ଶାସନ କାଳରେ କୁଡୁମି ସମ୍ପ୍ରଦାୟର ଅପୁର୍ବ ସୁନ୍ଦରୀ ଯୁବତୀ ଟୁସୁମନିଙ୍କ ଅପୂର୍ବ ସୌନ୍ଦର୍ଯ୍ୟରେ ବିଭୋର ହୋଇ ତତ୍କାଳୀନ ମୋଗଲ ସାମ୍ରାଜ୍ୟର ମୁସଲମାନ ରାଜା ତାଙ୍କୁ ଭଲପାଇ ବସିବା ସହିତ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ରାଜା ଟୁସୁମନିଙ୍କର ସତୀତ୍ଵ ହରଣ ପାଇଁ ଉଦ୍ୟମ କରିଥିଲେ। ତେବେ ନିଜର ସତୀତ୍ଵ ବଞ୍ଚାଇବାକୁ ଯାଇ ସେ ନଦୀରେ ଝାସଦେଇ ଆତ୍ମ ବିସର୍ଜନ କରିଥିଲେ।

ତେବେ ଟୁସୁମନିଙ୍କର ଏହି ବଳିଦାନକୁ କୁଡୁମି ସମ୍ପ୍ରଦାୟ ପକ୍ଷରୁ ସମ୍ମାନ ଜଣାଇ ମକର ସଂକ୍ରାନ୍ତିକୁ ଟୁସୁପର୍ବ ଭାବେ କାହିଁ କେଉଁ କାଳରୁ ପାଳନ କରିଆସୁଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details