ଓଡିଶା

odisha

ETV Bharat / state

ମା’ ଦ୍ବାରଶୁଣି ଘାଟି ପାଲଟିଛି ଡେଥ୍ ଜୋନ - ଡେଥ୍ ଜୋନ

ମୟୂରଭଞ୍ଜ 49 ନଂ ଜାତୀୟ ରାଜପଥର ମା’ ଦ୍ବାରଶୁଣି ଘାଟି ପାଲଟିଛି ମରଣଯନ୍ତା । ଗତ କିଛିଦିନ ମଧ୍ୟରେ ଏହି ଘାଟିରେ 100ରୁ ଉଦ୍ଧ୍ବ ଦୁର୍ଘଟଣା ଘଟିଥିବାବେଳେ ପ୍ରାୟ 20ରୁ ଉଦ୍ଧ୍ବ ମୁଣ୍ଡ ନେଲାଣି ଏହି ଘାଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Aug 26, 2019, 9:17 AM IST

ବାରିପଦା: ମୟୂରଭଞ୍ଜ 49 ନଂ ଜାତୀୟ ରାଜପଥର ମା’ ଦ୍ବାରଶୁଣି ଘାଟି । ମନସ୍କାମନା ପୂରଣ ପାଇଁ ପ୍ରତିଦିନ କାହିଁ କେତେ ଦୂରରୁ ଏଠାକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ । ହେଲେ ଏବେ ଏହି ଘାଟି ପାଲଟିଛି ଡେଥ୍ ଜୋନ। ଦୁର୍ଘଟଣା ଯେପରି ଏଠାକାର ନିତିଦିନିଆ ଘଟଣା ହୋଇଗଲାଣି । ଏଠାକାର ଅଣଓସାରିଆ ଗଡ଼ାଣି ରାସ୍ତାରେ ଗଲା ବେଳେ ବ୍ରେକ ଫେଲ ହୋଇ ପ୍ରାଣ ହାରୁଛନ୍ତି ବହୁ ନିରୀହ ଜୀବନ । ଗଲା ଦୁଇ ବର୍ଷରେ 20ରୁ ଊର୍ଦ୍ଧ୍ବ ମୁଣ୍ଡ ନେଲାଣି ଏହି ଘାଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

କୋଲକାତାରୁ ବମ୍ବେକୁ ସଂଯୋଗ କରୁଥିବା ଏହି ଘାଟିର ଲମ୍ବ ପ୍ରାୟ 6 କିଲୋମିଟର । ବହୁ ସମୟରେ ବିଶେଇରୁ ବାଙ୍ଗରିପୋଷି ଆସିବା ବେଳେ ହିଁ ଘଟିଥାଏ ଦୁର୍ଘଟଣା । ବଡ ବଡ ଉଠାଣି ଗଡାଣି ସହ ଅଣଓସାରିଆ ଓ ୟୁଟର୍ଣ୍ଣ ଏବଂ ଏସଟର୍ଣ୍ଣ । ଯେଉଁଥିପାଇଁ ଗଲା କିଛି ଦିନରେ 100ରୁ ଊର୍ଦ୍ଦ୍ବ ଦୁର୍ଘଟଣା ରେକର୍ଡ ହୋଇଛି । ଏନେଇ ଘାଟିରେ ସତର୍କ ସୂଚନା ଫଳକ ଲାଗିଛି । ହେଲେ ଦୁର୍ଘଟଣା କମିବା ବଦଳରେ ଦିନକୁ ଦିନକୁ ବଢିଚାଲିଛି । ଏଥିଲାଗି ମା’ଙ୍କର ଏହି ପବିତ୍ର ପୀଠର ରାସ୍ତା ଆଜି ମରଣଯନ୍ତା ଭାବେ ବଦନାମ ମୁଣ୍ଡାଉଛି । ଏ ନେଇ ଚିନ୍ତାରେ ଉଭୟ ଯାତ୍ରୀ ଓ ପଥଚାରୀ ।

ସେପଟେ ଘାଟି ବିଷୟରେ ଜାଣିନଥିବା ଡ୍ରାଇଭରମାନେ ଏହି ଅଣଓସାରିଆ ଓ ୟୁଟର୍ଣ୍ଣରେ ଦ୍ରୁତଗତିରେ ଆସୁଥିବା ବେଳେ ବ୍ରେକ ଫେଲ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଦୀର୍ଘ 6 କିଲୋମିଟର ଘାଟିରେ ଟ୍ରକ ପାର୍କିଂର ସୁବିଧା ନାହିଁ । ଟ୍ରକ ଡ୍ରାଇଭରଙ୍କୁ ସଚେତନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଘଟୁଛି ବୋଲି କହିଛନ୍ତି ଟ୍ରକ ଡ୍ରାଇଭର । ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଘାଟିକୁ ଡବଲ ରୋଡ଼ କଲେ ଦୁର୍ଘଟଣା ରୋକାଯାଇପାରିବ ।

ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟିବା ପରେ ଏହାକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ରେଡ଼ିଓମ ଲାଗିଥିବା ଟ୍ରାଫିକ ଚେକ ବୋର୍ଡ଼ ଲଗାଯାଉଛି । ଦିନକୁ ଦିନ ଗାଡି ସଂଖ୍ୟା ବଢୁଥିବା ବେଳେ ଗାଡି ଡ୍ରାଇଭରଙ୍କ ଦ୍ରୁତଗତିରେ ଗାଡି ଚାଳନା ପାଇଁ ଘାଟିରେ ବଢ଼ିଚାଲିଛି ଦୁର୍ଘଟଣା । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବାଙ୍ଗରିପୋଷି ଥାନା ଅଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details