ବାରିପଦା: ତେଜିଲା ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଟଙ୍କା ହଡପ ଓ ଦୁର୍ନୀତି ଘଟଣା । ପୂର୍ବରୁ ମହାବିଦ୍ୟାଳୟର ଛାତ୍ରମାନେ ସମୂହ ଧାରଣା ଦେଇଥିବାବେଳେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି କୃଷକ ସଂଗଠନ ଓ ସ୍ଥାନୀୟ ଗ୍ରାମବାସୀ ।
ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଦିକନ୍ଦ ଦେ ଛାତ୍ରମାନଙ୍କ ଷ୍ଟାଇପେଣ୍ଡ, କର୍ମଚାରୀଙ୍କ ଏରିଅର ଓ କଲେଜର ଡେଭଲମେଣ୍ଟ ଅର୍ଥ ହଡ଼ପ କରିଛନ୍ତି ।
ଲୁଇପା କଲେଜ ଦୁର୍ନୀତି ମାମଲା, ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପଦଯାତ୍ରା ଘଟଣା ଜଣାପଡିବା ପରେ ଛାତ୍ରମାନେ ଧାରଣା ଦେବା ସହ ତଦନ୍ତ ଦାବି କରିଥିଲେ । ତେବେ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଫଳରେ ମଙ୍ଗଳବାର ନବନିର୍ମାଣ କୃଷକ ସଙ୍ଗଠନ ଓ ଗ୍ରାମବାସୀ ରାଢୋ କଲେଜରୁ ପ୍ରାୟ ୮ କିଲୋମିଟର ପଦଯାତ୍ରାରେ ଆସିବା ସହ ଉଦଳା ଉପ-ଜିଲ୍ଲାପାଳଙ୍କୁ ପୁନର୍ବାର ତଦନ୍ତ ପାଇଁ ଦାବିପତ୍ର ଦେଇଛନ୍ତି ।
ଦୁଇ ମାସ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ