ବାରିପଦା: ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାଠାରେ ଶ୍ରୀଜୀଉମାନେ ଆଜି ଭକ୍ତମାନଙ୍କୁ ସୁନା ବେଶରେ ଦର୍ଶନ ଦେଇଛନ୍ତି । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଥିବାବେଳେ ବାରିପଦାରେ କିନ୍ତୁ ପରମ୍ପରା ନିଆରା । ପରମ୍ପରା ଅନୁଯାୟୀ ମାଉସୀ ମା ମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ପରେ ଆଜି ସନ୍ଧ୍ୟାରେ ପହଣ୍ଡି ବିଜେ ହୋଇ ରଥାରୁଢ ହେବେ ମହାପ୍ରଭୁ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ ଉତ୍କଳୀୟ ସଂସ୍କୃତିର ପରିଚୟ ତଥା ଜଗତର ନାଥ ଜଗନ୍ନାଥଙ୍କ ଏହେଉଛି ସୁନାବେଶ । ପୁରୀରେ ଶ୍ରୀ ଜୀଉମାନେ ରଥ ଉପରେ ଥାଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବାରିପଦା ପରମ୍ପରା କିନ୍ତୁ ନିଆରା । ରାଜତନ୍ତ୍ର ଅମଳରୁ ଆରମ୍ଭ ହୋଇଥିବା ଶ୍ରୀଜୀଉମାନଙ୍କ ସୁନାବେଶ ଏଠି ମାଉସୀ ମା’ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ପୁରାଣ ବର୍ଣ୍ଣିତ ଅନୁଯାୟୀ ତତ୍କାଳୀନ ମହାରାଜା ବୈଦନାଥ ଭଞ୍ଜ ଦେଓ ଶ୍ରୀଜୀଉମାନଙ୍କୁ ମାଉସୀ ମା ମନ୍ଦିରରେ ସୁନାବେଶରେ ଦେଖିବାକୁ ଚାହିଁଥିଲେ । ଆଉ ସେହିଦିନଠାରୁ ବାରିପଦାରେ ଶ୍ରୀଜୀଉମାନେ ମାଉସୀ ମା ମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ।
ଆଜି ମଧ୍ୟ ମାଉସୀ ମା ମନ୍ଦିରରେ ସବୁ ନୀତି ରୀତି ସମ୍ପନ୍ନ ହେବାପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ କଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ସୁନାବେଶ ଦର୍ଶନ ପରେ ଆଜି ସନ୍ଧ୍ୟାରେ ପହଣ୍ତି ବିଜେ ହୋଇ ଶ୍ରୀଜୀଉମାନଙ୍କୁ ରଥାରୁଢ କରାଯିବ । ଆଗାମୀ ଦୁଇଦିନ ଧରି ବାରିପଦାରେ ବାହୁଡାଯାତ୍ରା ଅନୁଷ୍ଠିତ ହେବ ।
ଆଜି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ । ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ବାରିପଦା ମାଉସୀମା ମନ୍ଦିରକୁ ଆସି ଦର୍ଶନ କରୁଛନ୍ତି । ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କଲେ କୁଆଡେ ଲକ୍ଷେ ଯଜ୍ଞର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ସେହି ବିଶ୍ଵାସକୁ ନେଇ ଦର୍ଶନ ପାଇଁ ଭିଡ ଲଗାଇଛନ୍ତି ଭକ୍ତ । ଭକ୍ତଙ୍କ ଭିଡକୁ ଲକ୍ଷ୍ୟ କରି ମାଉସୀ ମା ମନ୍ଦିରରେ ୩ ପ୍ଲାଟୁନ ଘୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପକ୍ଷରେ ଭକ୍ତମାନେ ମଧ୍ୟ ଶ୍ରୀଜିଉମାନଙ୍କୁ ସୁନାବେଶରେ ଦର୍ଶନ କରି ଆତ୍ମାତୃପ୍ତି ଲାଭ କରିଛନ୍ତି ବୋଲି କହିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ